ନକଲି ସେକ୍ସ ସିଡି ମାମଲା: ୧୪ ଦିନିଆ ରିମାଣ୍ଡ୍‌ରେ ସାମ୍ବାଦିକ ବିନୋଦ ବର୍ମା

ରାୟପୁର : ନକଲି ସେକ୍ସ ସିଡିି ମାମଲାରେ ଗିରଫ ହୋଇଥିବା ସାମ୍ବାଦିକ ବିନୋଦ ବର୍ମାଙ୍କୁ ଆଜି ଛତିଶଗଡ଼ କୋର୍ଟ ୧୪ ଦିନିଆ ବିଚାରବିଭାଗୀୟ ରିମାଣ୍ଡରେ ପଠାଇଦେଇଛନ୍ତି। ବର୍ମାଙ୍କ ପୁଲିସ ରିମାଣ୍ଡ୍‌ ଶେଷହେବାପରେ ରାୟପୁର ପୁଲିସ ତାଙ୍କୁ ଆଜି ଦିନ ୧୧ଟା ସମୟରେ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଭବେଶ କୁମାର ଓ୍ଵାଟିଙ୍କ ନିକଟରେ ହାଜର କରିଥିଲେ। ମାମଲାର ଶୁଣାଣି ସମୟରେ ବର୍ମା ପୁଲିସ ନିକଟରେ କୌଣସି ପ୍ରମାଣ ନାହିଁ ଏବଂ ତାଙ୍କୁ ମିଥ୍ୟାରେ ଫସାଇ ଦିଆଯାଇଛି କୋର୍ଟଙ୍କୁ ଅନୁରୋଧ କରିଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି। ଅନ୍ୟପକ୍ଷରେ କୋର୍ଟ ବର୍ମାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ରିମାଣ୍ଡ୍‌ରେ ପଠାଇ ଦେଇଛନ୍ତି।

ନଭେମ୍ବର ୧୩ ତାରିଖରେ ସେ ପୁଣିଥରେ କୋର୍ଟରେ ହାଜର ହେବେ। ଉଲ୍ଲେଖଯୋଗ୍ୟ ସାମ୍ବାଦିକ ବିନୋଦ ବର୍ମା ଛତିଶଗଡ଼ ପୂର୍ତ୍ତ ମନ୍ତ୍ରୀ ରାଜେଶ ମୁନତଙ୍କ ନକଲି ସେକ୍ସ ସିଡି ବଜାରକୁ ଛାଡ଼ିବାର ଧମକ ଦେଇ ତାଙ୍କୁ ବ୍ଲାକମେଲିଂ କରିଥିବା ଏବଂ ବଟି ମାଗିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଆଇପିସିର ଧାରା ୩୮୪ (ଦାଦାବଟି) ଏବଂ ୫୦୬ (ଅପରାଧ ଧମକ) ଅଧିନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବର୍ମାଙ୍କୁ ଅକ୍ଟୋବର ୨୭ ତାରିଖରେ ଗାଜିଆବାଦ୍‌ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ବର୍ମା କହିଛନ୍ତି ଯେ, ବିଜେପିର ଜଣେ କ୍ଷମତାଶାଳୀ ମନ୍ତ୍ରୀଙ୍କ ସେକ୍ସ ସିଡି ତାଙ୍କ ନିକଟରେ ଥିବା ସନ୍ଦେହ କରି ଛତିଶଗଡ଼ ସରକାର ତାଙ୍କୁ ଫସାଇ ଦେଇଛନ୍ତି। ତେବେ ମୁନତ୍‌ ଏହାକୁ ନକଲି କହିବା ସହ ତାଙ୍କୁ ବଦନାମ୍‌ କରିବାପାଇଁ ଏହା ବର୍ମାଙ୍କର ଏକ ଷଡଯନ୍ତ୍ର ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର