ବଜେଟ୍‌କୁ ପ୍ରତ୍ୟାଖ୍ୟାନ କଲେ କୃଷକ ସଂଗଠନ

ନୂଆଦିଲ୍ଲୀ: ‌ମୋଦୀ ସରକାର ଆଜି ଅନ୍ତରୀଣ ବଜେଟ୍‌ରେ ଦେଶର କ୍ଷୁଦ୍ର ଏବଂ ନାମମାତ୍ର ଶ୍ରେଣୀର କୃଷକମାନଙ୍କ ପାଇଁ ବାର୍ଷିକ ୬,୦୦୦ ଟଙ୍କାର ଯେଉଁ ସହାୟତା ଘୋଷଣା କରିଛନ୍ତି ତାହାକୁ ଅନେକ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ କହିଛନ୍ତି ‌ଯେ ସରକାର ବାସ୍ତବତାକୁ ଆଦୌ ହୃଦଙ୍ଗମ କରିନାହାନ୍ତି ଏବଂ ଉପରଠାଉରିଆ ଭାବେ ମାତ୍ର ୬ ହଜାର ଟଙ୍କା ସହାୟତା ଘୋଷଣା କରି ଅତି ଅସମ୍ମାନଜନକ ସ୍ଥିତି ସୃଷ୍ଟି କରିଛନ୍ତି। ୫ ଜଣ ସଦସ୍ୟ ବିଶିଷ୍ଟ ଏକ ପରିବାରରେ ଜଣେ ବ୍ୟକ୍ତିଙ୍କର ଚା’ ଖର୍ଚ୍ଚ ପାଇଁ ବି ଏହା ନିଅଣ୍ଟ। ସ୍ବରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ୫ ଜଣିଆ ପରିବାରରେ ଜଣ ପିଛା ମାତ୍ର ଦୈନିକ ୩ଟଙ୍କା ୩ ପଇସା ମିଳିବାକୁ ଥିବାରୁ ଏହା କିଛି କାମରେ ଆସିବ ନାହିଁ। ଏହା ମନରେଗା ଠାରୁ ମଧ୍ୟ ବହୁତ କମ୍‌। ଭାରତୀୟ କିଶାନ ସଂଗଠନ ନେତା ରାକେଶ ଟିକାୟତ କହିଛନ୍ତି ଯେ ଆଜି ଯେଉଁ ବଜେଟ୍‌ ଉପସ୍ଥାପନ ହୋଇଛି ଏବଂ କୃଷକମାନଙ୍କ ପାଇଁ ‌ଯେଉଁ ଘୋଷଣା ହୋଇଛି ସେଥିରେ ବହୁ ବିଳମ୍ବ ହୋଇଯାଇଛି ଏବଂ ଏହାର ବହୁତ କମ୍‌ ପ୍ରଭାବ ମଧ୍ୟ ପଡ଼ିବ। କୃଷକମାନେ ଆଶା ରଖିଥିଲେ ଯେ ସ୍ବାମୀନାଥନ କମିଟି ରିପ‌ୋର୍ଟ ଅନୁଯାୟୀ ସରକାର ସହାୟତା ରାଶି ଘୋଷଣା କରିବାର ଥିଲା ଏବଂ କୃଷକ ଆତ୍ମହତ୍ୟା ରୋକିବାପାଇଁ ଋଣଛାଡ଼ ଘୋଷଣା କରିବାର ଥିଲା। କିନ୍ତୁ ସରକାର ସମସ୍ତଙ୍କୁ ନିରାଶ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର