ମହାରାଷ୍ଟ୍ରରେ ଚାଷୀଙ୍କ ରଣହୁଙ୍କାର:ଚାଷୀଙ୍କ ଦାବି ମାନିନେଲେ

ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ମୁମ୍ବାଇ: ଗତ ୬ ଦିନ ଧରି ମହାରାଷ୍ଟ୍ରର ନାସିକ୍‌ରୁ ମୁମ୍ବାଇ ଅଭିମୁଖେ ପଦଯାତ୍ରା କରଥିବା ହଜାର ହଜାର ଚାଷୀଙ୍କ ମହାଆନ୍ଦୋଳନ ଶେଷରେ ଫଳବତୀ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ କୃଷକଙ୍କ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଉଭୟ କୃଷିଋଣ ଏବଂ ବିଦ୍ୟୁତ୍‌ ବିଲ୍‌ ଛାଡ଼, ଫସଲର ବିକ୍ରିମୂଲ୍ୟ ବୃଦ୍ଧି ସାଙ୍ଗକୁ ମାଗଣାରେ ଉତ୍ତମ ବିହନ ଯୋଗାଣ, ଚାଷୀଙ୍କ ପେନ୍‌ସନ ବ୍ୟବସ୍ଥା ଏବଂ ସ୍ୱାମୀନାଥନ କମିସନଙ୍କ ରିପୋର୍ଟ ମୁତାବକ ଚାଷୀଙ୍କ ପାଇଁ ସର୍ବନିମ୍ନ ସୁବିଧା ଆଦି ଦାବିର ବିଚାର କରିବାକୁ ସରକାର ରାଜି ହୋଇଛନ୍ତି।
ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଚାଷୀଙ୍କୁ ଅଣଦେଖା କରୁଥିବା ସହ ସେମାନଙ୍କ ଉନ୍ନତି ଚିନ୍ତା କରୁନଥିବା ଅଭିଯୋଗ କରି ଆଜି ମୁମ୍ବାଇର ଆଜାଦ୍‌ ମଇଦାନରେ ପ୍ରାୟ ୬୦ହଜାର କୃଷକଙ୍କ ସମାଗମ ହୋଇଥିଲା। ଗତବର୍ଷ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ରାଜ୍ୟର ୮୯ଲକ୍ଷ କୃଷକଙ୍କ ଉଦ୍ଦେଶ୍ୟରେ ୩୪,୦୨୨ କୋଟି ଟଙ୍କାର ଋଣଛାଡ଼ ଯୋଜନା କରିଥିଲେ। ମାତ୍ର ସରକାରଙ୍କ ସର୍ତ୍ତାବଳୀ ଅନୁସାରେ ମାତ୍ର ୫ପ୍ରତିଶତ କୃଷକଙ୍କ ଋଣ ଛାଡ଼ ହେଲା। ତେବେ ବିନା ସର୍ତ୍ତରେ ସରକାର ସମ୍ପୂର୍ଣ୍ଣ ଋଣ ଛାଡ଼ କରିବାକୁ ସେମାନେ ଦାବି କରିଛନ୍ତି। ବ୍ୟସ୍ତ ବହୁଳ ମାୟାନଗରୀରେ ଏତେ ବିଶାଳ ସମାଗମ ଯୋଗୁଁ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ମଧ୍ୟ ଆଶଙ୍କା ରହିଥିଲା। ତେବେ ବ୍ୟାପକ ପୁଲିସ ମୁତୟନ ଯୋଗୁଁ କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଦେଇନଥିଲା। ମୁମ୍ବାଇର ରୋଟି ବ୍ୟାଙ୍କ୍‌ ପକ୍ଷରୁ ଆନ୍ଦୋଳନରତ କୃଷକଙ୍କୁ ଭୋଜନ ଯୋଗାଇଥିବା ବେଳେ ଆଉ କିଛି ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କୁ ଜୋତା, ଛତା ଆଦି ପ୍ରଦାନ କରିଥିଲେ। ଶାସକ ଦଳକୁ ଘେରିିବାକୁ ସିପିଏମ୍‌, ଶିବସେନା, ଏନ୍‌ସିପି, କଂଗ୍ରେସ ଓ ଏମ୍‌ଏନ୍‌ଏସ୍‌ ଆଦି ଦଳ ଚାଷୀଙ୍କୁ ସମର୍ଥନ କରିଥିଲେ।
ଗତ ୬ତାରିଖରୁ ପଦଯାତ୍ରାରେ ବାହାରିଥିବା ଏହି କୃଷକମାନେ ଆଜି ବିଧାନସଭା ଘେରାଉ କରିବା ପାଇଁ ଯିବା ବେଳେ ପୁଲିସ୍‌ ଘଉଡ଼ାଇବାରୁ ସେମାନେ ଆଜାଦ ମଇଦାନରେ ସଭା କରିିଥିଲେ। ସେପଟେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ କୃଷକ ଆନ୍ଦୋଳନ ନାମରେ ଏହା ଆଦିବାସୀଙ୍କ ଫାର୍ସ ବୋଲି କହିବା ପରେ ଆନ୍ଦେଳନ ତୀବ୍ରରୂପ ଧାରଣ କରଥିଲା। ବିଜେପି ସାଂସଦ ପୁନମ ମହାଜନ ଆନ୍ଦେଳନରତ ଚାଷୀଙ୍କୁ ମାଓମାଦୀ କହି ମଧ୍ୟ ବିବାଦ ଘେରକୁ ଆସିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାରଙ୍କ ୬ ଜଣିଆ ପ୍ରତିନିଧି ଦଳ ଆନ୍ଦୋଳନରତ କୃଷକଙ୍କ ମଧ୍ୟରୁ ୧୨ଜଣ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିବା ସର୍ବଭାରତୀୟ କିସାନ ସଭା ପକ୍ଷରୁ କଂଗ୍ରେସ ନେତା ରାଧାକ୍ରିଷ୍ଣ ପାଟିଲ, ଏନ୍‌ସିପି ନେତା ଅଜିତ୍‌ ପଓ୍ଵାରଙ୍କ ସମେତ ସିପିଆଇଏମ୍‌ ନେତା ମଧ୍ୟ ଆଲୋଚନାରେ ସାମିଲ ଥିଲେ। ଆଦିବାସୀ ସମ୍ପ୍ରଦାୟଙ୍କ ଜଙ୍ଗଲ ଅଧିକାର ଆଇନ୍‌ ସମେତ ଚାଷୀଙ୍କର ସମସ୍ତ ଦାବିକୁ ସରକାର୨ମାସ ମଧ୍ୟରେ ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସଭାସ୍ଥଳୀରେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର