ତେଜିଲା କୃଷକ ଆନ୍ଦୋଳନ ୩ କୃଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା କୃଷକମାନଙ୍କ ୧୦ ଦିନିଆ ଦେଶବ୍ୟାପୀ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। କେନ୍ଦ୍ରର କୃଷକ ବିରୋଧୀ ନୀତିକୁ ବିରୋଧ କରି ଏବେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, କର୍ଣ୍ଣାଟକ, ହରିୟାଣା ଓ ଗୁଜରାଟର ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରିଛନ୍ତି।  ଭୋପାଳ ଏବଂ ଇନ୍ଦୋରରେ ୩ ଜଣ କୃଷକଙ୍କ ଆତ୍ମହତ୍ୟା କୃଷକ  ଆନ୍ଦୋଳନକୁ  ଭିନ୍ନ ମୋଡ଼ ଦେଇଛି। ମଧ୍ୟପ୍ରଦେଶରେ ଏ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସା ଆଶଙ୍କା କରି ସୁରକ୍ଷା କଡ଼ାକଡ଼ି କରାଯାଇଛି। ଭୋପାଳର ବାଲାଘାଟ୍‌ ଏବଂ ଖଣ୍ଡ୍‌ଓ୍ଵା ଜିଲ୍ଲାରେ ଦୁଇଜଣ କୃଷକ ଋଣଭାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ବେଳେ ଇନ୍ଦୋରର ସଜାପୁରରେ ମଧ୍ୟ ଜଣେ ଋଣଗ୍ରସ୍ତ କୃଷକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ୩ ଜଣ କୃଷକ ଫସଲ କ୍ଷତିଜନିତ ସଙ୍କଟ ଦେଇ ଗତି କରୁଥିଲେ ଏବଂ ଋଣ ସୁଝି ପାରୁନଥିଲେ। ଏଥିପାଇଁ ସେମାନେ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। କିନ୍ତୁ ପୁଲିସ ଏହା ଆତ୍ମହତ୍ୟା ନୁହେଁ ବୋଲି ଦାବି କରିଛି।

ଉଲ୍ଲେଖଯୋଗ୍ୟ ରାଷ୍ଟ୍ରୀୟ କିଶାନ ମହାସଂଘ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ୧୦ ଦିନିଆ କୃଷକ ଆନ୍ଦୋଳନରେ ୧୦୦ରୁ ଊର୍ଦ୍ଧ୍ୱ କୃଷକ ସଂଗଠନ ସାମିଲ ହୋଇଛନ୍ତି। କୃଷକମାନେ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୁଲ୍ୟ ଦାବି କରିବା ସହ  ସମ୍ପୂର୍ଣ୍ଣ ଋଣଛାଡ଼ ଦାବି କରି ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀ କୃଷକମାନେ ରାସ୍ତା ଉପରେ ସେମାନଙ୍କ ଉତ୍ପାଦନ ସାମଗ୍ରୀ ଢାଳି ଆନ୍ଦୋଳନ ପ୍ରଦର୍ଶନ କରିଛନ୍ତି। ତେବେ କୃଷକମାନେ ଗାଁରୁ ସହରକୁ ପନିପରିବା ଯୋଗାଣ ବନ୍ଦ କରିଦେଇଥିବା ବେଳେ ବିଭିନ୍ନ ସହରରେ ଏବେ ଚଢ଼ା ଦରରେ ପନିପରିବା ବିକ୍ରି ହେଉଛି। ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର କୃଷକମାନଙ୍କ ଏହି ଆନ୍ଦୋଳନକୁ କୌଣସି ପ୍ରସଙ୍ଗ ନଥିବା ଆନ୍ଦୋଳନ କହିଥିଲେ। ମଧ୍ୟପ୍ରଦେଶର ମଣ୍ଡସରରେ ଗତବର୍ଷ ଜୁନ୍‌ମାସରେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ୬ କୃଷକଙ୍କ ସ୍ମୃତିରେ ଆରମ୍ଭ ହାଇଥିବା ଏହି ଆନ୍ଦୋଳନର ଶେଷ ଦିନ ତଥା ଜୁନ୍‌ ୧୦ ତାରିଖରେ କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଭାରତ ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବାକୁ ଦେଶ୍ୟବ୍ୟାପୀ କୃଷକଙ୍କୁ ଏକଜୁଟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର