ଦ୍ୱିତୀୟ ଦିନରେ ଚାଷୀ ଆନ୍ଦୋଳନ:ପରିବା ଦର ଆକାଶ ଛୁଅାଁ

ଚଣ୍ଡିଗଡ଼ : ଗତକାଲିଠାରୁ ଆରମ୍ଭ ହୋଇଥିବା କୃଷକମାନଙ୍କ ଦେଶବ୍ୟାପୀ ୧୦ ଦିନିଆ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। କେନ୍ଦ୍ରର କୃଷକ ବିରୋଧୀ ନୀତିକୁ ବିରୋଧ କରି କୃଷକମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ଗାଁରୁ ବଜାରକୁ ପରିବା ଯୋଗାଣ ବନ୍ଦ ହୋଇଯାଇଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, କର୍ଣ୍ଣାଟକ, ହରିଆଣା ଓ ଛତିଶଗଡ଼ରେ ଚାଷୀମାନେ ପନିପରିବା, ଫଳମୂଳ, କ୍ଷୀର ଆଦି ସାମଗ୍ରୀ ବଜାରକୁ ନଛାଡିବା ଫଳରେ ବିଭିନ୍ନ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ଗତକାଲି କେବଳ ଗାଁ ଗୁଡିକରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଥିଲା ବେଳେ ଆଜି ସହରାଞ୍ଚଳରେ ମଧ୍ୟ ପ୍ରଭାବ ଅନୁଭୂତ ହୋଇଛି । ତୈଳ ଓ ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଦରବୃଦ୍ଧି ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ପୁଣି ପରିବା ଦରରେ ପ୍ରାୟ ଦୁଇ ଗୁଣ ବୃଦ୍ଧି ଦେଖିବାକୁ ମିଳିଛି। ଆଗାମୀ ୧୦ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିଲେ, ପରିବା ଓ ଫଳମୂଳ କିଣିବା ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଯିବ ବୋଲି କୁହାଯାଉଛି। ବିଶେଷକରି ଦିଲ୍ଲୀ, ମୁମ୍ବାଇ, ପୁନେରେ ପରିବା ଦର ଲଗାମଛଡ଼ା ହୋଇଯାଇଛି। ଗତ ଦୁଇଦିନ ପୂର୍ବେ ଟମାଟୋ ଦର ୧୦-୧୫ ଟଙ୍କା ଥିବାବେଳେ ଆଜି ଏହା ୨୫-୩୦ ଟଙ୍କା ରହିଛି। କିଛି ସ୍ଥାନରେ ପରିବା ଦରରେ ୨୪୦ରୁ ୬୦ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ସେହିପରି ପନିପରିବା ଅଭାବ ମଧ୍ୟ ଦେଖାଦେଇଛି। ଆଗାମୀ ଦିନରେ ମଧ୍ୟ ପରିବା ଦର ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଇଛି।

ସମ୍ବନ୍ଧିତ ଖବର