ଅତୀତର ଆଇନାରୁ: ଚଦରରେ ମୁହଁ ଘୋଡ଼ାଇ ଭିପି ସିଂହଙ୍କୁ ଭେଟୁଥିଲେ ଅମିତାଭ

ପ୍ରଥମ ନିର୍ବା‌ଚନ କମିସନର ସୁକୁମାର ସେନ୍‌

ନୂଆଦିଲ୍ଲୀ: ଏବେ ଦେଶରେ ନିର୍ବାଚନୀ ଋତୁ ଚାଲିଛି। ବହୁ ସଂଖ୍ୟାରେ ଫିଲ୍ମ ଅଭିନେତା ଅଭିନେତ୍ରୀ ନିର୍ବାଚନୀ ମଇଦାନରେ ସକ୍ରିୟ ଅଛନ୍ତି। ଭାରତୀୟ ରାଜନୀତିର ଇତିହାସରେ ଅଭିନେତାଙ୍କୁ ନେଇ ଅନେକ ରୋଚକ କଥା ରହିଛି ଏବଂ ସେଥିରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ମଧ୍ୟ ଅନେକ ଜଣା ଅଜଣା କଥା ସାମ୍ନାକୁ ଆସୁଛି। ଅମିତାଭ ଆହ୍ଲାବାଦ ଲୋକସଭା ଆସନରୁ ୧୯୮୪ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଏବଂ ଏଚ୍‌ ଏନ୍‌ ବହୁଗୁଣାଙ୍କୁ ପରାସ୍ତ କରିଥିଲେ। ତେବେ ସେହି ସମୟରେ ଏଭଳି ଜଣେ ବ୍ୟକ୍ତି ଥିଲେ ଯିଏକି ଅମିତାଭଙ୍କ ପ୍ରତିଭା ଏବଂ ଲୋକପ୍ରିୟତା ସଂପର୍କରେ ବିଶେଷ ଅବଗତ ନଥିଲେ କି ଆଗ୍ରହ ଦେଖାଉନଥିଲେ। ସେ ହେଉଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂହ। ଅମିତାଭ ତାଙ୍କୁ ଭେଟିବା ପାଇଁ ଚଦରରେ ମୁହଁ ଘୋଡ଼ାଇ ଯାଉଥିଲେ। ଭିଡ଼ରୁ ରକ୍ଷା ପାଇବା ପାଇଁ ସେ ଏଭଳି କରୁଥିଲେ। ଫିଲ୍ମ ଷ୍ଟାର୍‌ଙ୍କ ପ୍ରତି ଆଦୌ ଆଗ୍ରହ ନଥିବାରୁ ଭି ପି ସିଂହ ଅମିତାଭଙ୍କ ସଂପର୍କରେ ଅବଗତ ନଥିଲେ। ତେବେ ରାଜୀବ ଗାନ୍ଧୀଙ୍କ ପରାମର୍ଶକ୍ରମେ ଅମିତାଭ ଭି ପି ସିଂହଙ୍କୁ ଭେଟିବା ପାଇଁ ଚଦର ଘୋଡ଼ାଇ ହୋଇ ଯାଉଥିଲେ। ସେତେବେଳେ ବରିଷ୍ଠ ନେତା ଅରୁଣ ନେହରୁ ଭିପି ସିଂହଙ୍କ ସହ ଅମିତାଭଙ୍କ ପରିଚୟ କରାଇଥିଲେ।

ନୂଆଦିଲ୍ଲୀ: ୧୭ତମ ଲୋକସଭା ଗଠନ ପାଇଁ ଆସନ୍ତା ଏପ୍ରିଲ୧୧ରୁ ସାଧାରଣ ନିର୍ବାଚନ ଆରମ୍ଭ ହୋଇ ମେ’ ୧୯ରେ ସରିବ। ନୂଆ ସରକାର ଗଠନ ପାଇଁ ଜନସାଧାରଣ ଭୋଟ୍‌ ଦେବେ। କିନ୍ତୁ ଦେଶ ସ୍ବାଧୀନ ହେବାପରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଆରମ୍ଭ ହେବା ସମୟରେ ଗୁରୁ ଦାୟିତ୍ବ ନିର୍ବାହ କରିଥିଲେ ଜଣେ ଗାଣିତିକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁକୁମାର ସେନ୍‌। ଦେଶର ପ୍ରଥମ ଦୁଇଟି ସାଧାରଣ ନିର୍ବାଚନ ସୁକୁମାର ସେନ୍‌ଙ୍କ ତତ୍ତ୍ବାବଧାନରେ ହୋଇଥିଲା। ସେ ଭାରତର ପ୍ରଥମ ମୁଖ୍ୟ ନିର୍ବାଚନ କମିସନର। ୧୯୫୧-୫୨ ଏବଂ ୧୯୫୭ରେ ହୋଇଥିବା ସାଧାରଣ ନିର୍ବାଚନରେ ସୁକୁମାର ସଫଳତାର ସହ ନିର୍ବାଚନ ପରିଚାଳନା କରି ତାଙ୍କର ଦକ୍ଷତାକୁ ପ୍ରମାଣିତ କରିଥିଲେ। ସେ ସମୟରେ ଦେଶରେ ସାକ୍ଷରତା ହାର ବେଶ୍‌ କମ୍‌ ଥିଲେ ମଧ୍ୟ ଭୋଟ୍‌ ପାଇଁ ସ‌ଚେତନତା ସୃଷ୍ଟି କରିବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ୧୮୯୯ ଜାନୁଆରି ଜନ୍ମଗ୍ରହଣ କରିଥିବା ସୁକୁମାର କୋଲକାତାର ପ୍ରେସିଡେନ୍ସି କଲେଜ୍‌ ଏବଂ ଲଣ୍ଡନ୍‌ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଲଣ୍ଡନ୍‌ ବିଶ୍ବବିଦ୍ୟାଳୟରେ ସେ ଗଣିତରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସୁକୁମାର ୧୯୫୦ ମାର୍ଚ୍ଚ ୨୧ରୁ ୧୯୫୮ ଡିସେମ୍ବର ୧୯ ପର୍ଯ୍ୟନ୍ତ ଭାରତର ମୁଖ୍ୟ ନିର୍ବାଚନ କମିସନର ଥିଲେ।

ସମ୍ବନ୍ଧିତ ଖବର