ପ୍ରଥମ ପର୍ଯ୍ୟାୟ ତାଲିମ ଶେଷ, ଭିତ୍ତିଭୂମି ପାଇଁ ୪ ଶହ କୋଟି

ରାଫେଲ ଯୁଦ୍ଧ ବିମାନକୁ ସ୍ୱାଗତ ପାଇଁ ବାୟୁସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ କଂଗ୍ରେସର ଜୋର୍‌ଦାର ପ୍ରତିବାଦ ଭିତରେ ଭାରତୀୟ ବାୟୁସେନା ନୂଆ ପିଢ଼ିର ଏହି ଅତ୍ୟାଧୁନିକ ବିମାନକୁ ସ୍ୱାଗତ କରିବା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ରାଫେଲ ଯୁଦ୍ଧ ବିମାନର ଉଡ଼ାଣ ଓ ରଣନୀତି ସଂଚାଳନ ପାଇଁ ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ଵିତ ହୋଇଛି। ଏହି ଯୁଦ୍ଧ ବିମାନ ଭାରତରେ ପହଞ୍ଚିବାମାତ୍ରେ ପୂର୍ବରୁ ତାଲିମପ୍ରାପ୍ତ ପାଲଇଟମାନେ ଏହାର ଉଡ଼ାଣ ଆରମ୍ଭ କରିବେ ଏବଂ ନୂତନ ପାଇଲଟଙ୍କୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ତାଲିମ ଦିଆଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତର ଏକ ପାଇଲଟ ଦଳ ଫ୍ରାନ୍‌୍‌ସରୁ ତାଲିମ ନେଇ ଫେରିବେ। ପ୍ରାୟ ୫୮ ହଜାର କୋଟି ଟଙ୍କା ବ୍ୟୟରେ ଭାରତ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଛି। ଆସନ୍ତା ବର୍ଷ ସେପ୍‌୍‌ଟେମ୍ବରରୁ ବିମାନ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଇତିମଧ୍ୟରେ ପ୍ରଥମ ବ୍ୟାଚ୍‌ ପାଇଲଟ୍‌ ଦଳ ଫ୍ରାନ୍‌୍‌ସରୁ ତାଲିମ ନେଇ ଫେରିଛନ୍ତି। ତେବେ ରାଫେଲ ଚୁକ୍ତିକୁ ବିରୋଧ କରି କଂଗ୍ରେସ ସରକାରଙ୍କୁ ଲଗାତାର ଘେରିବାରେ ଲାଗିଛି। ଏହି ଚୁକ୍ତି ଦେଶ ସ୍ୱାର୍ଥ ସହ ସାଲିସ କରି କରାଯାଇଛି ଏବଂ ସରକାର ଅଧିକ ଦରରେ ଯୁଦ୍ଧ ବିମାନ କ୍ରୟ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର