ବାପ-ଝିଅଙ୍କ ଏହି ସାହସିକତା ପାଇଁ ବର୍ତ୍ତିଲା ୨ହଜାର ଲୋକଙ୍କ ଜୀବନ, ଘରକୁ ଭୋଜନ ପାଇଁ ଦୁହିଁଙ୍କୁ ନିମନ୍ତ୍ରଣ କଲେ ତ୍ରିପୁରା ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ତ୍ରିପୁରାର ଅଗରତଲାରେ ବସବାସ କରୁଥିବା ଗରିବ ବାପ-ଝିଅଙ୍କ ହେତୁ ୨୦୦୦ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଜଙ୍ଗଲରେ କାଠ କାଟି ନିଜର ଗୁଜୁରାଣ ମେଣ୍ଟାଉଥିବା ସ୍ୱପ୍ନ ଦେବ ବର୍ମା ଓ ତାଙ୍କ ଝିଅ ସୋମତି ରେଳ ଧାରଣାରେ ହୋଇଥିବା ଫାଟ ସମ୍ପର୍କରେ ଟ୍ରେନ୍ର ଲୋକୋପାଇଲଟଙ୍କୁ ଜଣାଇଥିଲେ। ଫଳରେ ଏକ ନିଶ୍ଚିତ ଦୁର୍ଘଟଣା ଟ୍ରେନ୍ଟି ରକ୍ଷା ପାଇ ଯାଇଛି। ବାପ-ଝିଅଙ୍କ ଏହି କାମ ହେତୁ ତ୍ରିପୁରାର ସ୍ୱାସ୍ଥ୍ୟମନ୍ତ୍ରୀ ସୁଦିପ ରାଏ ବର୍ମନ୍ ଦୁହିଁଙ୍କୁ ନିଜ ଘରକୁ ଖାଇବାକୁ ନିମନ୍ତ୍ରଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅଗରତଲାର ଦିହାଡ଼ିରେ ଦିନ ମଜୁରିଆ ଭାବେ କାମ କରୁଥିବା ସ୍ୱପ୍ନଦେବ ବର୍ମା ଓ ତାଙ୍କ ଝିଅ ସୋମତି ଜୁନ୍ ୧୫ ତାରିଖରେ କାଠ ଗୋଟାଉ ଥିବା ସମୟରେ ରେଳ ଧାରଣାରେ ଫାଟ ଥିବା ଦେଖିବାକୁ ପାଇଥିଲେ। ଭୂସ୍ଖଳନ ହେତୁ ଏଭଳି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ଏହାପରେ ବାପ-ଝିଅ ଦେଖିବାକୁ ପାଇଲେ ସାମ୍ନାରୁ ଦ୍ରୁତଗତିରେ ଏକ ଟ୍ରେନ୍ ମାଡି ଆସୁଛି। ସେମାନେ ନିଜେ ପିନ୍ଧିଥିବା ପୋଷାକକୁ ଓହ୍ଲାଇ ହାତରେ ଧରି ଟ୍ରେନ୍ ସାମ୍ନାରେ ହଲାଇ ଆଗକୁ ବିପଦ ଅଛି ବୋଲି ଲୋକୋପାଇଲଟକୁ ସୂଚିତ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଲୋକୋପାଇଲଟ କିଛି ବୁଝି ପାରି ନଥିଲେ। ତେଣୁ ବାପ-ଝିଅ ସମୟ ବିଳମ୍ବ ନକରି ଟ୍ରେନ୍ ଆଡକୁ ଦୌଡ଼ିବାକୁ ଲାଗିଥିଲେ। ଲୋକଟି କାହିଁକି ଟ୍ରେନ୍ ଆଡକୁ ଏପରି ଦୌଡ଼ି ଆସୁଛି, ଆଗକୁ କିଛି ବିପଦ ଅଛି ବୋଲି ଭାବି ଜରୁରୀକାଳିନ ବ୍ରେକ୍ ଦେଇଥିଲେ ଲୋକୋପାଇଲଟ। ଟ୍ରେନ୍ଟି ଯଦି ଫାଟ ଥିବା ଧାରଣା ଦେଇ ଗତି କରି ଥାଆନ୍ତା ତେବେ ନିଶ୍ଚିତ ଏକ ଦୁର୍ଘଟଣା ଘଟି ଯାଇଥାଆନ୍ତା। ଯେଉଁଥିରେ ଅନେକ ଯାତ୍ରୀଙ୍କ ଜୀବନ ବି ଚାଲିଯିବାର ଆଶଙ୍କା ରହିଥିଲା।
ବାପ-ଝିଅଙ୍କ ଏଭଳି ସାହସିକତା ଦେଖି ଲୋକମାନେ ଖୁବ୍ ପ୍ରଶଂସା କରିଥିଲେ। ଜୁନ୍ ୨୧ ତାରିଖରେ ତ୍ରିପୁରା ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଦିପ ରାଏ ବର୍ମନ୍ ସ୍ୱପ୍ନ ଦେବ ବର୍ମା ଓ ତାଙ୍କ ଝିଅଙ୍କ ଏଭଳି ସାହସୀକତା ପାଇଁ ସମ୍ମାନୀତ କରିବା ସହିତ ଘରକୁ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ସରକାରଙ୍କ ତରଫରୁ ଦୁହିଁଙ୍କୁ ପୁରସ୍କୃତ କରାଯିବା କଥା ବି କହିଛନ୍ତି।