ଫେବ୍ରୁଆରିରେ ଦ୍ବିତୀୟ ସମ୍ମିଳନୀ: ଟ୍ରମ୍ପ୍‌ଙ୍କୁ ମନାଇବେ କିମ୍‌

ୱାସିଂଟନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ପୁଣି ଥରେ ସଂପର୍କ ତିକ୍ତ ହୋଇ ଉଠୁଥିବାରୁ ଏଥିରେ ସୁଧାର ଆଣିବାକୁ ଉଭୟ ଦେଶ ତତ୍ପର ହୋଇଉଠିଛନ୍ତି। ଟ୍ରମ୍ପ୍‌ଙ୍କୁ ମନାଇବା ଦିଗରେ କେତେକ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଏବେ କିମ୍‌ ରାଜି ହୋଇଥିବା ଜଣାପଡ଼ିଛି। ଉତ୍ତର କୋରିଆ ସରକାରଙ୍କ କେତେକ ନିଷ୍ଠାପର ଉଦ୍ୟମ ଯୋଗୁଁ ଆସନ୍ତା ଫେବ୍ରୁଆରି ମାସରେ ଟ୍ରମ୍ପ୍‌ ଏବଂ କିମ୍‌ଙ୍କ ମଧ୍ୟରେ ଦ୍ବିତୀୟ ସମ୍ମିଳନୀ ହେବାକୁ ଯାଉଛି । ଆଜି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ପରମାଣୁ ଆଲୋଚନା ନେଇ ଉତ୍ତର କୋରିଆର ପ୍ରମୁଖ ବାର୍ତ୍ତାକାର କିମ୍‌ ଜଙ୍ଗ୍‌ ଚୋଲ୍‌ଙ୍କ ସହ ଟ୍ରମ୍ପ୍‌ଙ୍କର ୯୦ ମିନିଟ୍‌ର କଥାବାର୍ତ୍ତା ପରେ ଏହି ଘୋଷଣା କରାଯାଇଛି। ତେବେ ଏଯାବତ୍‌ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ‌ହୋଇନାହିଁ। ପରମାଣୁ ନିରସ୍ତ୍ରୀକରଣ ନେଇ ଟ୍ରମ୍ପ୍‌ ଏବଂ କିମ୍‌ଙ୍କ ମଧ୍ୟରେ ହେବାକୁ ଥିବା ଏହି ଦ୍ବିତୀୟ ସମ୍ମିଳନୀ ବିଶ୍ବ ସମୁଦାୟ ପାଇଁ ବେଶ୍‌ ଗୁରୁତ୍ବ ବହନ କରୁଛି। ଗତ ଜୁନ୍‌ରେ ଟ୍ରମ୍ପ୍‌ ଏବଂ କିମ୍‌ଙ୍କ ମଧ୍ୟରେ ପ୍ରଥମ ସମ୍ମିଳନୀ ହୋଇଥିଲେ ମଧ୍ୟ ଉତ୍ତର କୋରିଆ ପରମାଣୁ ନିରସ୍ତ୍ରୀକରଣ ଦିଗରେ ସେଭଳି କୌଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିନାହିଁ। ନିକଟରେ ଉତ୍ତର କୋରିଆ ଶାସକ ଉନ୍‌ ମଧ୍ୟ ଟ୍ରମ୍ପ୍‌ଙ୍କୁ କଡ଼ା ଚେତାବନୀ ଦେଇ କହିଥିଲେ ଯେ ଯଦି ଆମେରିକା କଟକଣା ନ ହଟାଏ ତେବେ ଆମେ ବିକଳ୍ପ ରାସ୍ତା ବାଛିବୁ। ପ୍ରଥମ ସମ୍ମିଳନୀ ପରେ ଉତ୍ତର କୋରିଆ ପରମାଣୁ ଅସ୍ତ୍ର ନଷ୍ଟ କରିବା ପାଇଁ ଯେଭଳି ପଦକ୍ଷେପ ନେବ ବୋଲି ଘୋଷଣା କରିଥିଲା, ତାହା କାର୍ଯ୍ୟକାରୀ କରିନଥିବାରୁ ଟ୍ରମ୍ପ୍‌ କିମ୍‌ଙ୍କୁ ଚେତାବନୀ ଦେଇଥିଲେ। କିମ୍‌ ମଧ୍ୟ ଆମେରିକା ଉତ୍ତରକୋରିଆ ସହ ଖେଳୁଛି ବୋଲି ଅଭିଯୋଗ କରିବା ସହ କଟକଣା ଉଠାଇବାକୁ ଦାବି କରିଥିଲେ। ଏଭଳି ସ୍ଥିତି ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିଲା ଏବଂ ଏବେ ଶାନ୍ତି ପାଇଁ ଉଦ୍ୟମ ହେଉଛି।

ସମ୍ବନ୍ଧିତ ଖବର