ହଜ୍‌ ସମୟରେ  ଯୌନ ନିର୍ଯାତନାର  ଶିକାର  ହେଉଛନ୍ତି  ମୁସଲମାନ୍‌  ମହିଳା

# ମସ୍କମିଠୁ  ଟୁଇଟର୍‌ରେ ଟ୍ରେଣ୍ଡିଂ କରୁଛି

ନୂଆଦିଲ୍ଲୀ:  ବିଶ୍ୱର  ମୁସଲମାନ୍‌ ସଂପ୍ରଦାୟଙ୍କ ଲାଗି  ‘ହଜ୍‌’ ହେଉଛି  ଇସଲାମ୍‌  ଧର୍ମର  ପଞ୍ଚମ ତଥା  ଅନ୍ତିମ  ସ୍ତମ୍ଭ ।  ନିିଜର  ଜୀବନକାଳ  ଭିତରେ  ଅନ୍ତତଃ  ଥରଟିଏ  ‘ହଜ୍‌’  ( ମହାପୁରୁଷ ମହମ୍ମଦଙ୍କ ଜନ୍ମସ୍ଥାନକୁ ଯାତ୍ରା)  ଯିବା  ଉଚିତ୍‌  ବୋଲି  ମୁସଲମାନ  ଧର୍ମାବଲମ୍ବୀଙ୍କ ଭିତରେ  ମାନ୍ୟତା  ରହିଛି ।

ପ୍ରତିବର୍ଷ  ଲକ୍ଷ ଲକ୍ଷ  ମୁସଲ୍‌ମାନ  ପୁରୁଷ   ଓ  ମହିଳା  ମହାପୁରୁଷ  ମହମ୍ମଦଙ୍କ  ଜନ୍ମସ୍ଥାନ ମକ୍କାକୁ  ଯାତ୍ରା  କରିଥାଆନ୍ତି ।  ସାଉଦି ଆରବରେ ଅବସ୍ଥିତ  ମକ୍କାକୁ ମୁସଲମାନଙ୍କର  ସବୁଠାରୁ  ପବିତ୍ର  ପୀଠ  ବୋଲି  ବିବେଚନା  କରାଯାଏ ।

କିନ୍ତୁ  ପ୍ରତିବର୍ଷ  ହଜ୍‌ ଯାତ୍ରା  କାଳରେ  ମହିଳା   ଭକ୍ତମାନେ  ଅସଦାଚରଣର ଶିକାର  ହୋଇଥାଆନ୍ତି । ଏଭଳି  ଅଭିଯୋଗ  କରିଛନ୍ତି  ଅନେକ   ମୁସଲମାନ୍‌  ମହିଳା ।   ଟୁଇଟର୍‌ରେ ହାସଟ୍ୟାଗ୍‌ ମସ୍କମିଠୁ ଜରିଆରେ  ଏଭଳି ପରିସ୍ଥିତିର ଶିକାର   ହୋଇଥିବା   ବହୁ ମୁସଲମାନ୍‌   ମହିଳା   ନିଜେ ଅଙ୍ଗେ ନିଭାଇଥିବା ଯୌନ ନିର୍ଯାତନାର  କାହାଣୀ  ବର୍ଣ୍ଣନା କରିଛନ୍ତି । ମକ୍କା ଓ ଅନ୍ୟ  ତୀର୍ଥସ୍ଥଳୀରେ  ଏପରି ଘଟଣା ନିୟମିତ ଘଟୁଥିବା ସେମାନେ  ଉଲ୍ଲେଖ  କରିଛନ୍ତି ।

ଇଜିପ୍ଟ -ଆମେରିକୀୟ  ନାରୀବାଦୀ ସାମ୍ବାଦିକା   ମୋନା  ଏଲ୍‌ଟାଓ୍ଵି  ସୋସିଆଲ  ମିଡିଆରେ   ହାସଟ୍ୟାଗ୍‌  ମସ୍କମିଠୁ  ଅଭିଯାନ  ଆରମ୍ଭ  କରିବା  ପରେ  ଅନେକ  ମୁସଲମାନ୍‌  ମହିଳା  ନିଜ  ଅଭିଜ୍ଞତା    ବର୍ଣ୍ଣନା କରିଛନ୍ତି ।   ମୋନା   ଲେଖିଛନ୍ତି,   ମତେ   ମାତ୍ର ୧୫ ବର୍ଷ   ବୟସ    ହୋଇଥିବା   ବେଳେ   ମୁଁ    ହଜ୍‌ ଯାତ୍ରା ସମୟରେ   ଯୌନ  ନିର୍ଯାତନାର   ଶିକାର   ହୋଇଥିଲି ।  ମୋନାଙ୍କର  ଏଇ   ପୋଷ୍ଟ  ପରେ   ପୃଥିବୀର  ବିଭିନ୍ନ  ଦେଶର  ମହିଳା ସେମାନଙ୍କ  ଉପରେ   ହୋଇଥିବା  ଯୌନ  ନିର୍ଯାତନାକୁ ଟୁଇଟରରେ ବଖାଣୁଛନ୍ତି ।  ହଜ୍‌   ସମୟରେ  ମକ୍କାରେ  ପ୍ରବଳ  ଜନସମାଗମ ଓ  ଲୋକଭିଡ  ହେଉଥିବାରୁ   ଏହାର ସୁଯୋଗ   ନେଇ ମହିଳାମାନଙ୍କୁ  ଅଶାଳୀନ   ଭାବେ  ସ୍ପର୍ଶ  କରାଯାଉଥିବା ଜଣାପଡ଼ିଛି।

ତେବେ  କେତେକ  ମହିଳା  ଏହା  ମଧ୍ୟ  ଲେଖିଛନ୍ତି କି  ସେମାନେ   ହିଜବ ଓ  ବୁର୍ଖା ପିନ୍ଧିଥିଲେ  ମଧ୍ୟ  ଏପରି ଆଚରଣର  ଶିକାର  ହୋଇଛନ୍ତି ।

ବର୍ତ୍ତମାନ  ଟୁଇଟର୍‌ରେ  ହାସଟ୍ୟାଗ୍‌ ମସ୍କମିଠୁ  ଟ୍ରେଣ୍ଡିଂ  କରୁଥିବା   ଜଣାପଡ଼ୁଛି ।

 

 

ସମ୍ବନ୍ଧିତ ଖବର