ବିଶ୍ୱକପ୍‌ ଫାଇନାଲ ମ୍ୟାଚରେ ବେଟିଂ ଲଗାଇବାକୁ ଭାରତୀୟ ବୁକିମାନେ ଯାଇ ଡେରା ପକାଇଲେ ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡରେ

ବେଟିଂ ବନ୍ଦ କରିବାକୁ ଭାରତରେ ବୁକି ଓ ସୁରକ୍ଷା ଏଜେନ୍ସିଙ୍କ ମଧ୍ୟରେ ଚାଲିଛି ‘ବାଘ୍‌ ବକ୍‌ରୀ’ ଖେଳ!

ନୂଆଦିଲ୍ଲୀ: ୨୦୧୮ ଫିଫା ବିଶ୍ୱକପ୍‌ ଫୁଟବଲର ଫାଇନାଲ ମ୍ୟାଚ, ଫ୍ରାନ୍‌ସ ଓ କୋଷ୍ଟାରିକା ମଧ୍ୟରେ ଆସନ୍ତା ରବିବାର ଦିନ ରୁଷିଆର ରାଜଧାନୀ ମସ୍କୋ ଠାରେ ଅନୁଷ୍ଠିତ ହେବ। ରବିବାର ଦିନ ଗୋଟିଏ ଏତେ ବଡ଼ ମ୍ୟାଚ ଖେଳାଯିବାକୁ ଥିବାବେଳେ ଖେଳକୁ ନେଇ ବେଟିଂ କରୁଥିବା ଭାରତୀୟ ବୁକିମାନେ ବେଶ୍‌ ଉତ୍ସାହିତ ହୋଇ ପଡ଼ିବା ସହ ଏହି ମ୍ୟାଚ୍‌କୁ ନେଇ କିପରି ଓ କେଉଁ ଢ଼ଙ୍ଗରେ ବେଟିଂ ଲଗାଇବେ ସେଥିପାଇଁ ଅନେକ ଯୋଜନା ମଧ୍ୟ ଦୀର୍ଘ ଦିନ ତଳୁ ପ୍ରସ୍ତୁତ କରିଥିଲେ। କାରଣ, ଫିଫା ବିଶ୍ୱକପ୍‌ ଫୁଟବଲର ଫାଇନାଲ ମ୍ୟାଚରେ ବେଟିଂକୁ ନେଇ ଅନେକ ସ୍ୱପ୍ନ ଦେଖିଥବା ଭାରତୀୟ ବୁକିମାନେ ଏହି ମ୍ୟାଚରେ ବେଟିଂ ଲଗାଇ ଖୁବ୍‌ ମୋଟା ଅଙ୍କର ଅର୍ଥ ଉପାର୍ଜନ ପାଇଁ ମଧ୍ୟ ଲକ୍ଷ୍ୟ ରଖିଥିଲେ। ହେଲେ, ଏବେ ସେମାନଙ୍କର ଆଶା ଓ ଯୋଜନା ପାଣି ଫାଟି ଯାଇଛି।

କାରଣ, ବୁକିମାନଙ୍କର ଏହି ଯୋଜନା ବାବଦରେ ଗନ୍ଧ ବାରିବା ପରେ ଭାରତୀୟ ସୁରକ୍ଷା ଏଜେନ୍ସି ଏମାନଙ୍କ ପଛରେ ପଡ଼ି ଯାଇଥିଲେ। ହେଲେ, ଏ ଘଟଣା ସଂପର୍କରେ ଜାଣିବା ପରେ ଭାରତୀୟ ବୁକିମାନଙ୍କ ଆଖିରୁ ନିଦ ହଜିଯାଇଛି।

ହେଲେ, ସେମାନେ ବି ଏତେ ସହଜରେ ଏତେ ବଡ଼ ସୁଯୋଗକୁ ହାତଛଡ଼ା କରିଦେବା ପାଇଁ ଆଦୌ ହେଲେ ପ୍ରସ୍ତୁତ ନୁହନ୍ତି। କଳେ ବଳେ କୌଶଳେ ସେ ଯେମିତି ବି ହେଉ ଏହି ମ୍ୟାଚକୁ ନେଇ ସେମାନେ ବେଟିଂ ଲଗାଇବାକୁ ବଦ୍ଧ ପରିକର ଅଛନ୍ତି। ସେଥିପାଇଁ ଭାରତୀୟ ବୁକିମାନେ ଏବେ ଦେଶ ଭିତରେ ବେଟିଂ ନିରାପଦ ନଥିବା ଜାଣିବା ପରେ ଏବେ ଦେଶର କିଛି କୁଖ୍ୟାତ ବୁକି ନେପାଳ ଓ ଶ୍ରୀଲଙ୍କା ପଳାଇଯାଇ ସେଠାରୁ ବେଟିଂ ଲଗାବାକୁ ସମସ୍ତ ପ୍ରକାରର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ସେହିପରି ଅହମ୍ମଦାବାଦ ଓ ମୁମ୍ବାଇର କୁଖ୍ୟାତ ବୁକିମାନେ ଥାଇଲାଣ୍ଡ ପଲାଇଯିବା ସହ ସେଠାରୁ ସେମାନଙ୍କର ଅପରେସନ୍‌ ଆରମ୍ଭ କରି ଦେଇଛନ୍ତି। ତଥାପି ଭାରତୀୟ ସୁରକ୍ଷା ଏଜେନ୍ସି ସେମାନଙ୍କ ସମସ୍ତ ଗତିବିଧି ଉପରେ ଲକ୍ଷ୍ୟ ରଖିବା ସହ ସେମାନଙ୍କ ସମସ୍ତ ଯୋଜନାକୁ ପଣ୍ଡ କରିବାକୁ କସରତ ଜାରି ରଖିଛି। ତେବେ, ଦେଖାଯାଉ ବୁକି ଓ ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟରେ ଚାଲିଥିବା ଏହି ‘ବାଘ୍‌ ବକ୍‌ରୀ’ ଖେଳରେ ଶେଷରେ କିଏ ଜିତୁଛି।

ସମ୍ବନ୍ଧିତ ଖବର