ଥାଇଲାଣ୍ଡର କାଳ ଗୁମ୍ଫାରେ ଉଦ୍ଧାର କାର୍ଯ୍ୟ ଜାରି: ଗୁମ୍ଫାରୁ ବାହାରିଲା ଅଷ୍ଟମ ଖେଳାଳି

ମାଏ ସାଇ, ଥାଇଲାଣ୍ଡ: ଉତ୍ତର ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ୍‌ ଗୁମ୍ଫାରେ  ଗତ ୧୫ ଦିନ ହେଲା ଫସି ରହିଥିବା ୧୨ ଫୁଟ୍‌ବଲ୍‌ ଖେଳାଳି ଓ କୋଚଙ୍କ ମଧ୍ୟରୁ ସୋମବାର ଅପରାହ୍ଣରେ ଅାଉ ୪ଙ୍କୁ ଉଦ୍ଧାର କରାଯାଇଛି। ଫଳରେ ଉଦ୍ଧାର ପିଲାଙ୍କ ସଂଖ୍ୟା ୮ରେ ପହଞ୍ଚିଛି।  ରବିବାର ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଛି।  ଉଦ୍ଧାର ପରେ ସବୁ ଖେଳାଳିଙ୍କୁ ହେଲିକପ୍ଟର ଯୋଗେ  ହସ୍ପିଟାଲ୍‌ ନିଅାଯାଇଛି। ରୟାଲ୍ ଥାଇ ନାଭିର ଜଣେ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି।

ପ୍ରକାଶ ଯେ, ଗୁମ୍ଫା ମଧ୍ୟରେ ପରିସ୍ଥିତି ବେଳକୁ ବେଳ ସଙ୍ଗିନ ହେଉଥିବାରୁ ମିସନ୍‌ ମୋଡ୍‌ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମୋଟ ୯୦ ଜଣ ଡାଇଭର୍‌ଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଆଜି ଅଧିକ ସଂଖ୍ୟକ ଡାଇଭରଙ୍କୁ କାମରେ ଲଗାଯାଇଛି। ଗୁମ୍ପାଭିତରେ ଅଧିକ ସଂଖ୍ୟକ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ଖଞ୍ଜା ଯାଇଛି। ଉଦ୍ଧାରକାରୀ ଦଳରେ ୫୦ ଜଣ ବିଦେଶୀ ଗୁମ୍ଫା ବିଶେଷଜ୍ଞ ରହିଥିବା ବେଳେ ୪୦ ଜଣ ଥାଇଲାଣ୍ଡର।

ତେବେ ଗୁମ୍ଫା ମଧ୍ୟରେ ଉଦ୍ଧାରକାରୀ ଦଳକୁ ଅପେକ୍ଷା କରିଥିବା ଅନ୍ୟମାନଙ୍କୁ ବାହାର କରିବା ପାଇଁ ୨ରୁ ୪ ଦିନ ସମୟ ଲାଗିପାରେ ବୋଲି ମିସନ ମୁଖ୍ୟ କହିଛନ୍ତି। ଗୁମ୍ଫା ମଧ୍ୟରେ ବର୍ଷାଜଳ ପ୍ରବେଶ କରିବା ଏବଂ ଅମ୍ଳଜାନ ମାତ୍ରା ହ୍ରାସ ପାଇବା ଯୋଗୁ ଫୁଟ୍‌ବଲ୍‌ ଖେଳାଳି ଓ ସେମାନଙ୍କ କୋଚ୍‌ଙ୍କ ଜୀବନ ବଞ୍ଚାଇ ହେବ କି ନାହିଁ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଉଦ୍ଧାରକାରୀ ଟିମ୍‌ର ଅକ୍ଳାନ୍ତ ପରିଶ୍ରମ ଓ ପ୍ରଗାଢ଼ ଆତ୍ମବିଶ୍ୱାସ ଯୋଗୁ ସମସ୍ତ ଖେଳାଳିଙ୍କୁ ଉଦ୍ଧାର କରାଯିବା ନେଇ ବିଶ୍ୱାସ ବଢ଼ିବାରେ ଲାଗିଛି। ଉଦ୍ଧାର ମିସନ୍‌ରେ ସାମିଲ ଥିବା ଜଣେ ଆର୍ମି କମାଣ୍ଡର କହିଛନ୍ତି, ସମସ୍ତ ଫୁଟ୍‌ବଲ୍‌ ଖେଳାଳି ଓ କୋଚ୍‌ଙ୍କୁ ଉଦ୍ଧାର କରାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଗୁମ୍ଫା ବିଶେଷଜ୍ଞମାନେ କୌଣସି ହାର୍‌ ନ ମାନି ପାଣି ଓ ପଥର ସହ ଲଢ଼ଇ ସେମାନଙ୍କୁ ବଞ୍ଚାଇବା ଲାଗି ବଦ୍ଧପରିକର ହୋଇଛନ୍ତି। କିନ୍ତୁ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଅତିକମ୍‌ରେ ୨ରୁ ୪ ଦିନ ସମୟ ଲାଗିବ।

ଉଲ୍ଲେଖଯୋଗ୍ୟ,  ଅନ୍ୟପକ୍ଷରେ ୧୧ରୁ ୧୬ ବର୍ଷ ବୟସର ଏହି ପିଲାମାନେ ପହଁରିବା ଶିଖି ନାହାନ୍ତି। ଏଭଳି ସ୍ଥଳେ ଜଳସ୍ତର ବୃଦ୍ଧି ପାଇଲେ ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ଅଷ୍ଟ୍ରେଲିଆ, ଆମେରିକା ଓ ଚୀନ୍‌ରୁ ଆସିଥିବା ଗୁମ୍ଫା ବିଶେଷଜ୍ଞ ଭଲ ଭାବେ ଜାଣିପାରିଥିଲେ। ଏଥିପାଇଁ ଠୋସ୍‌ ଯୋଜନା ପ୍ରସ୍ତୁତ କରିଥିଲେ। କିଭଳି ପିଲାମାନଙ୍କୁ ସୁରକ୍ଷିତ ଭାବେ ଗୁମ୍ଫା ମଧ୍ୟରୁ ବାହାର କରାଯିବ ସେଥିପାଇଁ ରିହର୍ସାଲ୍‌ ବି କରିଥିଲେ। ଆଗକୁ ଥାଇଲାଣ୍ଡରେ ପ୍ରବଳ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ ଉଦ୍ଧାରକାରୀ ଟିମ୍‌ ଅଧିକ ସଜାଗ ହୋଇଯାଇଥିଲା। ଶେଷରେ ଆଉ କାଳବିଳମ୍ବ ନ କରି ସେମାନେ ଶନିବାର ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ। ଉଦ୍ଧାରକାରୀ ଦଳ ନିଜ ଜୀବନକୁ ପାଣି ଛଡ଼ାଇ ଶେଷରେ କାଳ ଗୁମ୍ଫା ମଧ୍ୟକୁ କୁଦା ମାରିଥିଲେ। ଫଳରେ ସେମାନେ ୪ଜଣ ଫୁଟ୍‌ବଲ୍‌ ଖେଳାଳିଙ୍କୁ ନିଶ୍ଚିତ ମୃତ୍ୟୁମୁହଁରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ଅପରପକ୍ଷରେ ଗୁମ୍ଫା ମଧ୍ୟରେ ଫସିରହିଥିବା ପିଲାମାନଙ୍କ ମନୋବଳ ପୂର୍ବବତ୍‌ ସୁଦୃଢ଼ ଅଛି ବୋଲି ଉଦ୍ଧାରକାରୀ ଟିମ୍‌ ସୂଚନା ଦେଇଛି। ଏତେ କମ୍‌ ବୟସର ହୋଇଥିଲେ ହେଁ ଏହି କାଳ ଗୁମ୍ଫା ସେମାନଙ୍କୁ କାଣିଚାଏ ଭୟଭୀତ କରିଥିବା ଦେଖିବାକୁ ମିଳିନାହିଁ। ଭିଡିଓ ଫୁଟେଜ୍‌ରୁ ମଧ୍ୟ ତାହା ସ୍ପଷ୍ଟ ବାରିହୋଇ ପଡ଼ିଛି। ଉଲ୍ଲେଖଯୋଗ୍ୟ, ଥାଇଲାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଆସୁଥିବା ଥାମ୍‌ ଲୁଆଙ୍ଗ୍‌ ଗୁମ୍ଫା ଦେଖିବାକୁ ୧୫ ଦିନ ତଳେ ‘ଓ୍ଵାଇଲ୍‌ଡ ବୋର୍‌’ ନାମକ ଏହି ଫୁଟ୍‌ବଲ୍‌ ଟିମ୍‌ର ଖେଳାଳିମାନେ କୋଚ୍‌ଙ୍କ ସହ ଯାଇଥିଲେ। ଏହାପରେ ପ୍ରବଳ ମାତ୍ରାରେ ବର୍ଷା ପାଣି ପଶିଯିବାରୁ ଗୁମ୍ଫାରୁ ଆଉ ଫେରିପାରି ନ ଥିଲେ।

ସମ୍ବନ୍ଧିତ ଖବର