ଏବେ ରାଜ୍ୟସଭାରେ ବଳ କଷାକଷି

ଉପାଧ୍ୟକ୍ଷ ନିର୍ବାଚନରେ ହେବ ମୋଦି-ରାହୁଲ ମୁକାବିଲା, ବିଜେଡି ଉପରେ ସମସ୍ତଙ୍କ ଆଖି, ଯୋଗସୂତ୍ର ଆରମ୍ଭ

ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ। ବର୍ତମାନ ରାଜ୍ୟସଭା ଉପାଧ୍ୟକ୍ଷ ପି ଜେ କୁରିଏନ୍‌ଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବା ପରିପ୍ରେକ୍ଷୀରେ ପରବର୍ତୀ ଉପାଧ୍ୟକ୍ଷ କିଏ ହେବ, ସେ ନେଇ ଏନ୍‌ଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି। କର୍ଣ୍ଣାଟକରେ ସରକାର ଗଢ଼ିବା ପାଇଁ ବିଜେପି ଦେଖିଥିବା ସ୍ୱପ୍ନକୁ ଭାଙ୍ଗି ଧୂଳିସାତ୍‌ କରିଥିବା ବିରୋଧୀ ମେଣ୍ଟ ଏବେ ଉପାଧ୍ୟକ୍ଷ ନିର୍ବାଚନରେ ପରାସ୍ତ କରି ଏନ୍‌ଡିଏ ସରକାରକୁ ଆଉ ଏକ ଶକ୍ତ ଧକ୍‌କା ଦେବା ଲାଗି ଯୋଜନା କରିଛି। ଏପରିକି ଏହି ଜିଦ୍‌ ହାସଲ କରିବା ଲାଗି ବିଜେଡି ବା ତୃଣମୂଳ କଂଗ୍ରେସ ଦଳର ପ୍ରାର୍ଥୀକୁ ଦଳ ସମର୍ଥନ ଜଣାଇପାରେ ବୋଲି ସୂଚନା ମିଳିଛି। ତେବେ ବିଜୁ ଜନତା ଦଳକୁ ଦୃଷ୍ଟିରେ ରଖି ଉଭୟ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ଓ ଏନ୍‌ଡିଏରେ ଗୋଟିଚାଳନା ଆରମ୍ଭ ହୋଇଥିବାରୁ ସ୍ଥିତି ଅତ୍ୟନ୍ତ ରୋଚକ ମୋଡ଼ ନେଇଛି। କଂଗ୍ରେସ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହୁଁଛି। ଉପାଧ୍ୟକ୍ଷ ଆସନ ବିନିମୟରେ ଦଳ ପରୋକ୍ଷରେ ବିରୋଧୀ ମେଣ୍ଟକୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଟାଣିବା ଲାଗି ଚାହୁଁଛି। ଏବଂ ସଂଖ୍ୟା ଦୃଷ୍ଟିରୁ ଯଦି ବିଜେଡି ସମର୍ଥନ କରେ ତେବେ ଏହି ଆସନ ଏନ୍‌ଡିଏ ହାତକୁ ଯିବ ନାହିଁ ଓ ପ୍ରଧାନମନ୍ତ୍ରୀଙ୍କୁ ଆଉ ଏକ ଝଟ୍‌କା ଲାଗିବ। ଅନ୍ୟପକ୍ଷରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ଯଦି ଏନଡିଏକୁ ସମର୍ଥନ ଦିଏ, ତେବେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହି ଲଢ଼େଇ ଅତ୍ୟନ୍ତ ସହଜସାଧ୍ୟ ହେବ ବୋଲି କୁହାଯାଉଛି। ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ଏବେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ନେତାମାନେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ଏଯାଏ ମୁହଁ ଖୋଲିନାହାନ୍ତି। ଦଳ ମଧ୍ୟ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ବିଜେଡି ନେତାମାନେ ଗଣମାଧ୍ୟମରେ ବିବୃତି ଦେଇ ଏଭଳି ଚର୍ଚ୍ଚାକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି। ଠିକ୍‌ ଏମିତି ଏକ ପରିସ୍ଥିତିରେ ଆଜି ବିଜେପି ମଧ୍ୟ ଉପାଧ୍ୟକ୍ଷ ପଦ ଲାଗି ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। କହିଛନ୍ତି, ଏହି ପଦବି ଲାଗି ବିଜେପି ପ୍ରାର୍ଥୀ ଦେବ ଓ ଆବଶ୍ୟକସ୍ଥଳେ କଂଗ୍ରେସ ସମେତ ଅନ୍ୟ ଦଳକୁ ସମର୍ଥନ ଲାଗି ସହଯୋଗ ଲୋଡ଼ିବ।

ନବୀନ ନିରବ, ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ତିନିଜଣ ଚର୍ଚ୍ଚାରେ
ଧର୍ମେନ୍ଦ୍ର କହିଲେ ପ୍ରାର୍ଥୀ ଦେବୁ, ସମସ୍ତଙ୍କ ସମର୍ଥନ ଲୋଡ଼ିବୁ

ମିଳିଥିବା ସୂଚନା ମୁତାବକ, ଜୁଲାଇ ଦ୍ୱିତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶନ ହୋଇପାରେ। ଏହି ଅଧିବେଶନରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବାର ସମ୍ଭାବନା ଅଧିକ। ସଂଖ୍ୟା ଦୃଷ୍ଟିରୁ ୧୨୨ଜଣ ସାଂସଦଙ୍କ ସମର୍ଥନ ଯିଏ ହାସଲ କରିବ, ସିଏ ଏହି ସମ୍ମାନଜନକ ପଦବିଟି ହାତେଇବ। ରାଜ୍ୟସଭାରେ ଏନ୍‌ଡିଏର ସଦସ୍ୟଙ୍କ ସଂଖ୍ୟା ହେଉଛି ୧୦୫। ଏନ୍‌ଡିଏକୁ ୬ ଜଣ ସ୍ୱାଧୀନ ସଦସ୍ୟ ସମର୍ଥନ କରିପାରନ୍ତି। ଟିଆର୍‌ଏସ ଓ ୱାଇଏସ୍‌ଆର କଂଗ୍ରେସ ଏନ୍‌ଡିଏକୁ ସମର୍ଥନ କଲେ ବି ବିଜେଡି ସମର୍ଥନ ଜରୁରୀ। ବିଜେଡିର ରାଜ୍ୟସଭାରେ ୯ଜଣ ସାଂସଦ ଅଛନ୍ତି। ଏଣୁ ଦଳ ଯଦି ଏନ୍‌ଡିଏକୁ ସମର୍ଥନ କରିବ, ତେବେ ମୋଦିଙ୍କ ପଲ୍ଲା ଭାରି ରହିବ। ସେହିଭଳି କଂଗ୍ରେସ ପାଖରେ ରହିଛି ୫୧ ଆସନ। କିନ୍ତୁ ମିଳିତ ବିରୋଧୀ ଦଳ ଯଦି ଜଣକୁ ପ୍ରାର୍ଥୀ କରନ୍ତି ତା’ହେଲେ ବିରୋଧୀ ଶିବରର ପଲ୍ଲା ଭାରି ରହିବ। କାରଣ ୟୁପିଏକୁ ତୃଣମୂଳ କଂଗ୍ରେସ, ଟିଡିପି, ବାମଦଳ, ସମାଜବାଦୀ ପାର୍ଟି ଓ ଅନ୍ୟ ଛୋଟ ଦଳ ସମର୍ଥନ କରିପାରନ୍ତି। ଏ କ୍ଷେତ୍ରରେ ବିଜେଡି ସମର୍ଥନ କଲେ, ବିରୋଧୀ ମେଣ୍ଟ ଆବଶ୍ୟକ ସଂଖ୍ୟା ପାଉଛନ୍ତି। ଏଣୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଯୁଦ୍ଧ କ୍ଷେତ୍ର ଭାବେ ଉଭା ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ସଂଖ୍ୟା ହାସଲ କରିବା ଲାଗି କଂଗ୍ରେସ ଓ ବିରୋଧୀ ମେଣ୍ଟ ପକ୍ଷରୁ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଗଲାଣି। ଉପା ସରକାର ସମୟର ଜଣେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ, ଯିଏ କି ନବୀନଙ୍କର ଭଲ ବନ୍ଧୁ ଭାବେ ଜଣାଶୁଣା ସେ ବିଜେଡି ସହିତ ଯୋଗସୂତ୍ରରେ ଥିବା ସୂଚନା ମିଳିଛି। ରାହୁଲ ଗାନ୍ଧୀ ଭାରତକୁ ଫେରିବା ପରେ ଏ ପ୍ରସଙ୍ଗ ଆଗକୁ ଯାଇପାରେ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ତୃଣମୂଳ କଂଗ୍ରେସର ଡେରେକ୍‌ ଓବ୍ରେନ ବିଜେଡିର ଜଣେ ବରିଷ୍ଠ ସାଂସଦଙ୍କ ସହ ଅନଔପଚାରିକ ଆଲୋଚନା କରିଥିବା ସୂଚନା ମିଳିଛି। ସଂପୃକ୍ତ ସାଂସଦ ଏ ସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ପ୍ରତିଜବାବ କିଛି ମିଳିନାହିଁ। ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି, ଦଳ ଏବେ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦ୍ୱରତ୍ୱ ଅବଲମ୍ବନ କରୁଛି। ଏପରିସ୍ଥଳେ କଂଗ୍ରେସ ଦେଉଥିବା ପ୍ରାର୍ଥୀକୁ ସମର୍ଥନ କରିବା ଆଶା କ୍ଷୀଣ। ଯଦି କଂଗ୍ରେସ ଦଳର ପ୍ରାର୍ଥୀକୁ ବାଦ୍‌ ଦେଇ ବିଜେଡିର ଜଣେ ପ୍ରାର୍ଥୀକୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମନୋନୀତ କରାଯିବ ଓ ସମସ୍ତେ ସହଯୋଗ କରନ୍ତି, ତେବେ ଏହାଦ୍ୱାରା ବିଜେପିକୁ ରୋକାଯାଇପାରିବ ଓ ଦଳ ସମର୍ଥନ ଦେବାରେ ଅସୁବିଧା ନାହିଁ। ଏଭଳି ଏକ ସର୍ତ୍ତ ସଂପର୍କରେ ବିଚାର କରାଯାଇପାରେ। ତେବେ ଦଳର ସୁପ୍ରିମୋ ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ। ଉଭୟ ସମାଜବାଦି ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟ ସମାନ ରାସ୍ତାରେ ଅଛନ୍ତି। ଆଞ୍ଚଳିକ ଦଳର ଗୁରୁତ୍ୱ ବଢ଼ାଇବା ଲାଗି ଏମାନେ ରାଜ୍ୟସଭା ଉପାଧ୍ୟକ୍ଷ ପଦବିକୁ ଗୋଟି ଭାବେ ବ୍ୟବହାର କରିବାକୁ ଚାହାନ୍ତି। ଏହି କ୍ରମରେ ତିନି ଜଣ ନେତାଙ୍କ ନାମ ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଲାଣି। ସେମାନେ ହେଲେ ତୃଣମୂଳ କଂଗ୍ରେସ ସାଂସଦ ସୁକେନ୍ଦୁ ରାୟ ଓ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ।

ଅନ୍ୟମାନଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ। ମାତ୍ର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ବିଷୟରେ ମୁଁ କିଛି ଜାଣିନାହିଁ। ଆମେ କଂଗ୍ରେସ-ବିଜେପିଠାରୁ ସମଦୂରତ୍ୱ ବଜାୟ ରଖିଛୁ।
ସେପଟେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସୂଚନା ମୁତାବକ ଯଦି ବିଜେଡି କଂଗ୍ରେସ ବିରୋଧୀ ମେଣ୍ଟକୁ ସମର୍ଥନ କରୁଛି ତେବେ ୧୨୨ ସିଟ୍‌ ସହିତ ରାଜ୍ୟସଭା ଉପାଧ୍ୟକ୍ଷ ଆସନକୁ ଅକ୍ତିଆର କରିବ ଓ ଏନ୍‌ଡିଏ ହଟାଇବା ପ୍ରସଙ୍ଗ ଆଉ ପାଦେ ଆଗକୁ ଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ କଂଗ୍ରେସ ସମର୍ଥିର୍ତ ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମର୍ଥନ ଜଣାଇ ନଥିଲେ। କିନ୍ତୁ ଉପ-ରାଷ୍ଟ୍ରପତି ନିର୍ବାଚନରେ ଦଳ ଗୋପାଳ କୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା।

ସମ୍ବନ୍ଧିତ ଖବର