ସୁରକ୍ଷା ବାହିନୀ ସହ ସଂଘର୍ଷରେ ୫ ମୃତ

ଶ୍ରୀନଗର,: ଜମ୍ମୁ କଶ୍ମୀର ସୋପିଆନ୍‌ର ବଡ଼ିଗାମ୍‌ରେ ଆଜି ସୁରକ୍ଷା ବାହିନୀ ସହ ସଂଘର୍ଷରେ ୫ ଜଣ ଆତଙ୍କବାଦୀ ନିପାତ ହେବାପରେ ୩ଟି ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ସ୍ଥାନୀୟ ହିଂସା ସୃଷ୍ଟିକାରୀ ଯୁବକମାନେ ସୁରକ୍ଷା ବାହିନୀ ଉପରେ ପ୍ରବଳ ପଥରମାଡ଼ କରିବାରୁ ଅଣାୟତ୍ତ ଅବସ୍ଥା ଉପୁଜିଥିଲା। ସୁରକ୍ଷା ବାହିନୀ ଗୁଳିରେ ୩ଟି ସ୍ଥାନରେ ୫ ଜଣ ବିକ୍ଷୋଭକାରୀ ନିହତ ହୋଇଥିବା ଜଣାପଡ଼ିଛି। ବିଚ୍ଛିନ୍ନତାବାଦୀ ନେତାଙ୍କ ଷଡ଼ଯନ୍ତ୍ରକ୍ରମେ ସୁରକ୍ଷା ବାହିନୀ ଉପରେ ସ୍ଥାନୀୟ ଯୁବକମାନେ ସଶସ୍ତ୍ର ଆକ୍ରମଣ ମଧ୍ୟ କରିଥିବା ଜଣାପଡ଼ିଛି। ଆତଙ୍କବାଦ ପ୍ରଭାବିତ ସୋପିଆନ୍‌ ଓ ପୁଲଓ୍ଵାମା ଅଂଚଳରେ ଏହି ସଂଘର୍ଷ ହୋଇଥିବା ଜଣାପଡ଼ିଛି। ହିଂସା ଓ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଶ୍ରୀନଗର ସମେତ ବିଭିନ୍ନ ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି। ଆଜି ସୋପିଆନରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ କଶ୍ମୀର ବିଶ୍ୱବିଦ୍ୟାଳୟର ପ୍ରଫେସର ମହମ୍ମଦ ରଫି ଭଟ୍ଟ ମଧ୍ୟ ରହିଥିବାରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଭଟ୍ଟ ହିଜବୁଲ ସଂଗଠନରେ ସାମିଲ ହୋଇ ଭାରତ ବିରୋଧରେ ଅସ୍ତ୍ର ଉଠାଇଥିବାରୁ କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା ବୋଲି ପୁଲିସ ଡିଜି ଏସ୍‌ ପି ବୈଦ କହିଛନ୍ତି। ଗତକାଲି ଶ୍ରୀନଗରର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମଧ୍ୟ ୩ଜଣ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ଏହି ଘଟଣାକୁ ନେଇ ଆଜି ମଧ୍ୟ ସେଠାରେ ଉତ୍ତେଜନା ଲାଗି ରହିଛି। ଆତଙ୍କବାଦୀଙ୍କ ସମର୍ଥକମାନେ ବିଭିନ୍ନ ପୁଲିସ ଫାଣ୍ଡି ଉପରେ ପଥର ମାଡ଼ କରିଛନ୍ତି। ସ୍ଥାନୀୟ ଆତଙ୍କବାଦୀ ଫୟାଜ ଅହମ୍ମଦ ହମାଲ ନିହତ ହୋଇଥିବାରୁ ତା’ର ସମର୍ଥକ ହିଂସା ଭିଆଉଛନ୍ତି।

ସମ୍ବନ୍ଧିତ ଖବର