ଓଡ଼ିଶାରେ ସ୍ଥିରତା ଯୋଗୁଁ ଅଭିବୃଦ୍ଧି ହେଉଛି: ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଅର୍ଥ କମିଶନ। ପଞ୍ଚଦଶ ଅର୍ଥ କମିଶନର ଅଧ୍ୟକ୍ଷ ନନ୍ଦକିଶୋର ସିଂହ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ବିଭିନ୍ନ କ୍ଷେତ୍ରରେ ବିଚାର ବିମର୍ଷ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଆର୍ଥିକ ପରିଚାଳନା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରିଛନ୍ତି ଅର୍ଥ କମିଶନ । ଓଡ଼ିଶାରେ ସ୍ଥିର ସରକାର ଥିବାରୁ ଅଭିବୃଦ୍ଧି ହେଉଛି । କେନ୍ଦ୍ର ସରକାରଙ୍କ ଅର୍ଥକୁ ସଠିକ୍ ଭାବେ ବିନିଯୋଗ କରାଯାଉଛି ବୋଲି ମତ ରଖିଛନ୍ତି ଅର୍ଥ କମିଶନ ନନ୍ଦକିଶୋର ସିଂହ ।

ଓଡ଼ିଶା ଦାରିଦ୍ର୍ୟ ଦୂରୀକରଣରେ ଯଥେଷ୍ଟ ଅଗ୍ରଗତି କରିଛି । ରାଜ୍ୟର ମୁଣ୍ଡ ପିଛା ଆୟରେ ଅଗ୍ରଗତି ହୋଇଛି କିନ୍ତୁ ଏବେ ବି ଜାତୀୟ ମୁଣ୍ଡ ପିଛା ହାର ଠାରୁ ବହୁ ଦୂରରେ ରହିଛି ଓଡ଼ିଶା । ତେଣୁ ରାଜ୍ୟ ସରକାରଙ୍କୁ ଏ ଦିଗରେ ଆହୁରି ଅଧିକ କିଛି କରିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି ପଞ୍ଚଦଶ ଅର୍ଥ କମିଶନ । ସେହିଭଳି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପଞ୍ଚଦଶ ଅର୍ଥ କମିଶନ କହିଛନ୍ତି ଯେ, ଓଡ଼ିଶାରେ ମେଡ଼ିକାଲ କଲେଜ ସହ ଅଧିକ ଡ଼ାକ୍ତରଙ୍କର ଆବଶ୍ୟକତା ରହିଛି । ଜଣେ ଡ଼ାକ୍ତରଙ୍କୁ ୮ ରୁ ୧୦ ହଜାର ଲୋକ ଚିକିତ୍ସା ଆଦୌ ଭଲ ଖବର ନୁହେଁ । ସେହିଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଯଥେଷ୍ଟ ଯୋଜନା ଅଗ୍ରଗତି ଆଣିଥିଲେ ମଧ୍ୟ ଆହୁରି ଅଧିକ ଶିକ୍ଷା ବ୍ୟବସ୍ଥା ବୃଦ୍ଧି ହେବା ଦରକାର ।

ଅନ୍ୟପଟେ ଜାତୀୟ ହାର ତୁଳନାରେ ୨ ବର୍ଷ ହେଲା ଓଡ଼ିଶାର ବିକାଶ ହାର ଭଲ ନାହିଁ ବୋଲି ରିପୋର୍ଟ କାର୍ଡ଼ ଖୋଲିଛନ୍ତି ପଞ୍ଚଦଶ ଅର୍ଥକମିଶନ ନନ୍ଦକିଶୋର ସିଂହ । ପ୍ରାକୃତିକ ବିପର୍ଯ୍ୟୟ କାରଣ ଯୋଗୁଁ ଅଭିବୃଦ୍ଧି ହାର ହ୍ରାସ ହୋଇଛି । ଏବେ ବି ରାଜ୍ୟକୁ ପ୍ରାକୃତି ବିପର୍ଯ୍ୟୟ ଓଡ଼ିଶା ପାଇଁ ବଡ଼ ଆହ୍ୱାନ । ତେବେ ରାଜ୍ୟ ସରକାରଙ୍କୁ ଉଠା ଜଳସେଚନ ଓ ଫସଲ ବିବିଧୀକରଣକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ଅର୍ଥ କମିଶନ ।

ସମ୍ବନ୍ଧିତ ଖବର