ଇରାନ୍‌ରେ ‘ଆର୍ଥିକ ଯୁଦ୍ଧ’ ସ୍ଥିତି : ଜୀବନ ରକ୍ଷାକାରୀ ଔଷଧ ବି ମିଳୁନି ଭାରତ ଓ ଚୀନ୍‌ ଉପରେ ଚାପ

ତେହେରାନ: ଇରାନ୍‌ ବିରୋଧରେ ଆଜି ଆମେରିକା ଏବଂ ୟୁରୋପୀୟ ସଂଘ ପୂର୍ବ ଘୋଷଣା ମୁତାବକ କଠୋର ଆର୍ଥିକ କଟକଣା ଲାଗୁ କରିଛନ୍ତି। ଏହି କଟକଣା ପାଇଁ ଇରାନ୍‌ରେ ଆର୍ଥିକ ଯୁଦ୍ଧ ସଙ୍କଟ ସୃଷ୍ଟି ହୋଇଛି ଏବଂ ସମଗ୍ର ମଧ୍ୟପ୍ରାଚ୍ୟ ଏହା ଦ୍ବାରା ପ୍ରଭାବିତ ହେବ ବୋଲି ଇରାନ୍‌ ରାଷ୍ଟ୍ରପତି ହସନ ରୁହାନି କହିଛନ୍ତି। ୨୦୧୫ ପରମାଣୁ ଚୁକ୍ତି ପାଇଁ ଇରାନ୍‌ ଯେଉଁ ସବୁ ଆର୍ଥିକ ସୁବିଧା ସୁଯୋଗ ପାଉଥିଲା ତାହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି। ଇରାନ୍‌ର ବଜାର ବ୍ୟବସ୍ଥା ଆଜି ପ୍ରଥମ ଦିନରେ ବି ବହୁଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ମିଳୁନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପ୍ରଶାସନର କଟକଣା ସତ୍ତ୍ବେ କେତେକ ‌ୟୁରୋପୀୟ ରାଷ୍ଟ୍ର ଇରାନ୍‌ ସହ କାରବାର ଜାରି ରଖିବାକୁ ଚାହୁଥିଲେ। କିନ୍ତୁ ଆମେରିକାର ଆର୍ଥିକ ଦଣ୍ଡ ଭୟରେ ଏବେ ସମସ୍ତେ ଇରାନ୍‌ଠାରୁ ଦୂରେଇ ଯାଇଛନ୍ତି। କେବଳ ଭାରତ ସମେତ ୮ଟି ଅନ୍ୟ ରାଷ୍ଟ୍ର ଆମେରିକା କଟକଣାକୁ ଭ୍ରୂକ୍ଷେପ ନକରି ଇରାନ୍‌ ସହ କାରବାର କରିବାକୁ ସ୍ବୀକୃତି ଦେଇଛନ୍ତି। ଆମେରିକା ବିଦେଶ ସଚିବ ମାଇକ୍‌ ପୋମ୍ପିଓ ଆଜି ଭାରତ ଓ ଚୀନ୍‌କୁ ଏ ବାବଦରେ ପ୍ରଶ୍ନ କରି ଇରାନ୍‌ରୁ ଅଶୋଧିତ ତୈଳ ଆମଦାନି ପ୍ରକ୍ରିୟା ସଂପୂର୍ଣ୍ଣ ବନ୍ଦ କେବେ ହେବ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର