ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ଅନାଜ ମଣ୍ଡି ଅଂଚଳରେ ରବିବାର ସକାଳେ ଭୟାନକ ଅଗ୍ନିକାଣ୍ଡ ୪୫ ଜଣଙ୍କ ଜୀବନ ନେବା ସହ ପୁଣି ଥରେ ଦିଲ୍ଲୀର ବିପଜ୍ଜନକ ସ୍ଥିତି ସାମ୍ନାକୁ ଆସିଛି। ଦିଲ୍ଲୀର ଅନେକ ଅଂଚଳ ଏବେ ବାରୁଦ ଗଦାରେ ରହିଛି ଏବଂ ଯେ କୌଣସି ସମୟରେ କେଉଁଠି ସାମାନ୍ୟ ନିଆଁ ଧରିଲେ ବି ଧନ ଜୀବନର ବଡ଼ କ୍ଷତି ଘଟିବା ଆଶଙ୍କା ରହିଛି। ଦିଲ୍ଲୀରେ ପ୍ରତ୍ୟେକ ଅଗ୍ନିକାଣ୍ଡ ପରେ ନେତାମାନେ ପରସ୍ପର ଉପରକୁ କାଦୁଅ ଫୋପାଡ଼ନ୍ତି, ସରକାର, ନଗର ନିଗମ ଏବଂ ଅନ୍ୟ ଅଧିକାରୀଙ୍କ ଉପରେ ଦୋଷ ଲଦା ଯାଇଥାଏ। କିନ୍ତୁ ନିଆଁ ଥଣ୍ଡା ହେବା ମାତ୍ରେ ପ୍ରସଙ୍ଗ ବି ଥଣ୍ଡା ପଡ଼ିଯାଉଛି ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଦିଲ୍ଲୀରେ ପୂର୍ବରୁ ଘଟିଥିବା ଅନେକ ଭୟାବହ ଅଗ୍ନିକାଣ୍ଡ ଏହାର ଜ୍ଜଳନ୍ତ ଉଦାହରଣ।
ବୱାନା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ
ରାଜଧାନୀର ବୱାନା ଶିଳ୍ପାଞ୍ଚଳରେ ୨୧ ଜାନୁଆରୀ ୨୦୧୮ରେ ୩ଟି କାରଖାନାରେ ଲାଗିଥିବା ଭୟଙ୍କର ନିଆଁରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଥିଲେ। ବେଆଇନ ଭାବେ ସେଠାରେ କାରଖାନା ଚାଲିଥିଲା ଏବଂ ସୁରକ୍ଷା ନେଇ କୌଣସି ବନ୍ଦୋବସ୍ତ ନଥିବା ତଦନ୍ତରୁ ଜଣାପଡ଼ିଥିଲା।
ହୋଟେଲ ଅର୍ପିତ ଅଗ୍ନିକାଣ୍ଡ
୧୨ ଫେବ୍ରୁଆରି, ୨୦୧୯ରେ କରୋଲ ବାଗ୍ର ହୋଟେଲ ଅର୍ପିତରେ ଅଗ୍ନିକାଣ୍ଡ ଯୋଗୁଁ ୧୭ ଜଣଙ୍କ ଜୀବନ ଯାଇଥିଲା। ନିଆଁ ଲାଗିବା ସମୟରେ ହୋଟେଲରେ ପ୍ରାୟ ୫୩ ଜଣ ଥିଲେ। ହୋଟେଲର ଭିନ୍ନ ଭିନ୍ନ କକ୍ଷରେ ଶୋଇଥିବା ଲୋକେ ଭୋର୍ ୩ଟା ବେଳେ ଅଚାନକ ଧୂଆଁରେ ଅଣନିଃଶ୍ବାସୀ ହୋଇଉଠିଥିଲେ। ଲୋକେ ପ୍ରାଣ ବିକଳରେ ବାଲ୍କୋନିରୁ ଏବଂ ଝରକା ଦେଇ ତଳକୁ କୁଦି ପଡ଼ିଥିଲେ। ଏହି ହୋଟେଲ୍ର ଛାତକୁ ବେଆଇନ ଭାବେ ଏକ ଅସ୍ଥାୟୀ ରେଷ୍ଟୁରାଣ୍ଟରେ ପରିଣତ କରାଯାଇଥିବାରୁ ଏଭଳି କାଣ୍ଡ ଘଟିଥିଲା।
ଉପହାର ସିନେମା କାଣ୍ଡ
ଦିଲ୍ଲର ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଘଟଣା ହେଉଛି ଉପହାର ସିନେମା ହଲ୍ରେ ୧୯୯୭ ଜୁନ୍, ୧୩ ତାରିଖରେ ଘଟିଥିବା ଅଗ୍ନିକାଣ୍ଡ। ଦକ୍ଷିଣ ଦିଲ୍ଲୀର ଉପହାର ସିନେମାରେ ‘ବୋର୍ଡର’ ଚଳଚ୍ଚିତ୍ର ଦେଖିବାକୁ ପହଞ୍ଚିଥିବା ଅନେକ ଲୋକଙ୍କ ପାଇଁ ଏହା ତାଙ୍କ ଜୀବନର ଶେଷ ଦିନ ସାବ୍ୟସ୍ତ ହୋଇଥିଲା। ସିନେମା ହଲ୍ର ଟ୍ରାନ୍ସଫର୍ମର କକ୍ଷରେ ନିଆ ଲାଗିଯିବାରୁ ଏହା ତତ୍କ୍ଷଣାତ ଚାରିଆଡ଼େ ବ୍ୟାପୀ ଯାଇଥିଲ। ଏହି ଅଗ୍ନିକାଣ୍ଡରେ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ଥିଲେ। ଘଟଣାର ତଦନ୍ତରୁ ଜଣାପଡ଼ିଥିଲା ଯେ ସିନେମା ହଲ୍ରେ ସୁରକ୍ଷାର ବିଶେଷ ବନ୍ଦୋବସ୍ତ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/xf65fh4df654hf5h4d4fh65d4hfh65v4th.jpg)