ଇସ୍ରୋର ଅହମ୍ମଦାବାଦ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଅହମଦାବାଦସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସ୍ପେଶ ଆପ୍ଲିକେସନ ଷ୍ଟେସନରେ ଆଜି ଏକ ଅଗ୍ନିକାଣ୍ଡ ହୋଇଥିବା ଖବର ମିଳିଛି ।  ମିଳିଥିବା ସୂଚନା ମୁତାବକ ଇସ୍ରୋ ବିଲଡିଂ ନଂ ୩୭ ସ୍ଥିତ ସେଣ୍ଟ୍ରାଲ ଏୟାର କଣ୍ଡସନିଂ ରୁମରେ ସର୍ଟସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇ ଅନ୍ୟସ୍ଥାନକୁ ବ୍ୟାପୀଯାଇଥିଲା । ଏହି ବିଲଡିଂ ନଂ ୩୭ରେ ଇସ୍ରୋର ଏକ ଗବେଷଣାଗାର ରହିଛି ଯାହାକି ମାଗନେଟିଂ ଫିଲଡ ଉପରେ ଗବେଷଣା କରିଥାଏ । ଏହି ଅଗ୍ନିକାଣ୍ଡରେ ଗବେଷଣା କେନ୍ଦ୍ରର କି କି କ୍ଷତି ହୋଇଛି ତାହା ଜଣାପଡିନଥିଲେ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟରେ ଅହମଦାବାଦ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗର ପ୍ରାୟ ୧୦ଟି ନିଆଲିଭା ଗାଡ଼ିକୁ ନିୟୋଜିତ କରାଯାଇଥିବା ଖବର ମିଳିଛି । ସର୍ବଶେଷ ଖବର ଅନୁସାରେ ଅପରାହ୍ନ ସାଢେ ୪ଟା ବେଳକୁ ଅଗ୍ନିଶମ ବିଭାଗ ଏହି ନିଆଁକୁ ଆୟତ୍ତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି । ଇସ୍ରୋର ଏହି ଅହମଦାବାଦ ଗବେଷଣା କେନ୍ଦ୍ରରେ ଉପଗ୍ରହ, ରକେଟ ଉପରେ ବିଶେଷ ଗବେଷଣାମାନ କରାଯାଇଥାଏ । ଏହା ସହିତ ଯୋଗାଯୋଗ, ରିମୋଟ ସେନସିଂ ଆଦି ଟେକନଲୋଜୀ ଉପରେ ମଧ୍ୟ ଏଠାରେ ଗବେଷଣା କରାଯାଏ ।

ସମ୍ବନ୍ଧିତ ଖବର