ତିରୁପତିରେ ଲଡ୍ଡୁ ପ୍ରସ୍ତୁତ ହେଉଥିବା କେନ୍ଦ୍ରରେ ଲାଗିଲା ନିଆଁ; ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ତିରୁମଲା: ତିରୁପତିର ଶ୍ରୀଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସାଦ ବୁନ୍ଦି ଓ ଲଡ୍ଡୁ ପ୍ରସ୍ତୁତ ହେଉଥିବା କେନ୍ଦ୍ରରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଲଡ୍ଡୁ ପ୍ରସ୍ତୁତ ହେଉଥିବା  ରୋଷେଇଶାଳାରେ ଆକସ୍ମିକ ଭାବେ  ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଚେଷ୍ଟା କରିଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

ରୋଷେଇ ଘରେ ଥିବା  ବାସନ, ଘିଅ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଆଦି ଜଳି ପାଉଁଶ ହୋଇଯାଇଛି। ଲଡ୍ଡୁ ପ୍ରସ୍ତୁତ କେନ୍ଦ୍ରରେ ଲାଗିଥିବା ଚିମିନିରୁ ଭୀଷଣ ଧୁଆଁ ଓ ନିଆଁ ବାହାରିବା ଦେଖି ରୋଷେଇ ଘରେ ନିଆଁ ଲାଗିବା ସୂଚନା ମିଳିଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନାହିଁ।

ନିଆଁ ଲାଗିବା ଦେଖି କାମ କରୁଥିବା ଲୋକମାନେ ଦୌଡ଼ାଦୌଡ଼ି ହୋଇ ଘଟଣାସ୍ଥଳରୁ ଚାଲି ଆସିଥିଲେ। ଲଡ୍ଡୁ ପ୍ରସ୍ତୁତ ହେଉଥିବା କେନ୍ଦ୍ରରେ ଉଚ୍ଚ ତାପମାତ୍ରା ରହିଥାଏ। ହଠାତ କୌଣସି କାରଣରୁ ନିଆଁ ରୋଷେଇ ଘରେ ଥିବା ଘିଅକୁ ଧରି ନେଇଥିବାରୁ ଆକସ୍ମିକ ଭାବେ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର