ଜାପାନ୍‌ ଷ୍ଟୁଡିଓରେ ନିଆଁ ଲଗାଇ ଦେଲା ଦୁର୍ବୃତ୍ତ, ୩୦ ମୃତ, ୩୬ ଆହତ

ଟୋକିଓ : ଜାପାନ୍‌ର କ୍ୟୋଟୋ ସହରରେ ଆଜି ଏକ ଭୟଙ୍କର କାଣ୍ଡ ଘଟିଛି। ଜଣେ ଦୁର୍ବୃତ୍ତ କ୍ୟୋଟୋର ଏକ ଏନିମେସନ୍‌ ଷ୍ଟୁଡିଓ ଚାରିପାଖରେ ଗ୍ୟାସୋଲିନ୍‌ ଢାଳି ନିଆଁ ଲଗାଇ ଦେବା ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ୩୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ୩୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। କ୍ୟୋ‌ଟୋ ପୁଲିସ ମୁଖପାତ୍ରଙ୍କ ସୂତ୍ରରୁ ଜଣାଯାଇଛି ଯେ ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏହି ଭୟାନକ କାଣ୍ଡ ଘଟାଇଛି ଏବଂ ତାକୁ ଗିରଫ କରାଯାଇଛି। ଦୁର୍ବୃତ୍ତ ମଧ୍ୟ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛି। ପୁଲିସ ଦୁର୍ବୃତ୍ତକୁ ଏବେ ଜେରା କରିପାରିନାହିଁ। ତା’ର ସ୍ବାସ୍ଥ୍ୟରେ ସୁଦ୍ଧାର ହେଲେ ଜେରା କରାଯିବ ବୋଲି କୁହାଯାଇଛି। ଦୁର୍ବୃତ୍ତ ନିଆଁ ଲଗାଇବା ସମୟରେ ଷ୍ଟୁଡିଓରେ ପ୍ରାୟ ୭୦ ଜଣ କର୍ମଚାରୀ ଥିଲେ। କେହି କିଛି ବୁଝିବା ଆଗରୁ ସମ୍ପୂର୍ଣ୍ଣ ଷ୍ଟୁଡିଓଟି ଜଳି ଯାଇଥିଲା। ୪୮ ଅଗ୍ନି ନିର୍ବାପଳ ଦଳ ନିଆଁ ଲିଭା କାର୍ଯ୍ୟରେ ନି‌ୟୋଜିତ ଥିଲେ। ୧୯୮୧ରେ ପ୍ରତିଷ୍ଠା ହୋଇଥିବା କ୍ୟୋଟୋ ଏନିମେସନ୍‌ ଷ୍ଟୁଡିଓ ଆଜି ପାଉଁଶ ହୋଇଯାଇଛି।

ସମ୍ବନ୍ଧିତ ଖବର