ସଂରକ୍ଷଣ ଆନ୍ଦୋଳନ, ରାଜସ୍ଥାନରେ ‘ଗୁଜ୍ଜର’ ନିଆଁ

ଜୟପୁର: ରାଜସ୍ଥାନରେ ଗୁଜ୍ଜର ସଂପ୍ରଦାୟ ସଂରକ୍ଷଣ ଦାବିରେ ଚଳାଇଥିବା ଆନ୍ଦୋଳନ ଆଜି ତୃତୀୟ ଦିନରେ ହିଂସାତ୍ମକ ମୋଡ଼ ନେଇଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରି ରଖିବା ସହ ଯାନବାହନରେ ନିଆଁ ଲଗାଇଦେବାରୁ ଅଣାୟତ୍ତ ସ୍ଥିତି ଉପୁଜିଛି। ଦିଲ୍ଲୀ-ମୁମ୍ବାଇ ରେଳ ପଥରେ ଅବରୋଧ ଜାରି ରହିଥିବାରୁ ୫୦ରୁ ଅଧିକ ଟ୍ରେନ୍‌ ବାତିଲ ହୋଇଛି ଏବଂ ଆଉ କେତେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଆନ୍ଦୋଳନ ହଠାତ ଉଗ୍ର ହୋଇ ଉଠିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଆଗ୍ରା-ମୁରେନା ଜାତୀୟ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିବାରୁ ଉଭୟ ପାର୍ଶ୍ବରେ ହଜାର ହଜାର ଗାଡ଼ି ଅଟକ ରହିଥିଲା ଏବଂ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ପୁଲିସକୁ ଲାଠିମାଡ଼ ଓ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା। ଏହି ରାଜପଥରେ ପୁଲିସର ଏକ ବସ୍‌ ସମେତ ରାସ୍ତା ପାର୍ଶ୍ବରେ ଥିବା ଅନ୍ୟ କେତେକ ଗାଡ଼ିକୁ ଆନ୍ଦୋଳନକାରୀ ଜାଳି ଦେଇଥିଲେ।

ଗୁଜ୍ଜର ନେତା କିରୋଡ଼ି ସିଂହ ଆନ୍ଦୋଳନକାରୀଙ୍କୁ ଶାନ୍ତି ରକ୍ଷା କରିବାକୁ ନିବେଦନ କରିଥିଲେ ମଧ୍ୟ ଏଥିପ୍ରତି ସେମାନେ କର୍ଣ୍ଣପାତ କରିନାହାନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ଆଲୋଚନା କରି ଗୁଜ୍ଜର ସଂପ୍ରଦାୟ ପାଇଁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବାକୁ କିରୋଡ଼ି କହିଛନ୍ତି। ସଂରକ୍ଷଣ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ଧମକ ଦେଇଛନ୍ତି। ଗତକାଲି ଆନ୍ଦୋଳନକାରୀ ଏବଂ ସରକାରୀ ପ୍ରତିନିଧି ଦଳ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା। ସୂଚନାଯୋଗ୍ୟ ଗୁଜ୍ଜର ସମାଜ ସରକାରୀ ଚାକିରି ଏବଂ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଆସୁଛି ଏବଂ ଗତବର୍ଷ ମଧ୍ୟ ଏଥିପାଇଁ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା।

ସମ୍ବନ୍ଧିତ ଖବର