ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ, ଜାରି ହେଲା ପ୍ରଥମ କୃଷ୍ଣଗର୍ତ୍ତର ଫଟୋ

ନୂଆଦିଲ୍ଲୀ : ଏକ ବିରଳ ଘଟଣାକ୍ରମରେ ବୈଜ୍ଞାନିକମାନେ ଆଜି ପ୍ରଥମ ଥର ପାଇଁ କୃଷ୍ଣ ଗର୍ତ୍ତ ବା ବ୍ଲାକ ହୋଲ୍‌ର ପ୍ରଥମ ଫଟୋଚିତ୍ର ଜାରି କରିଛନ୍ତି । ଏହି ଫଟୋକୁ ଇଭେଣ୍ଟ ହରାଇଜନ ଟେଲିସ୍କୋପ ଉତ୍ତୋଳନ କରିଛି । ଏହି ବ୍ଲାକ ହୋଲର ଆକାର ସୂର୍ଯ୍ୟର ଆକାରଠାରୁ ପ୍ରାୟ ୬୫୦ କୋଟି ଗୁଣ ବଡ଼ । ଫଟୋରେ ଏହା ଏକ ଉଜ୍ଜଳ ବୃତ୍ତାକାର ଆଲୋକ ମଧ୍ୟରେ ଏକ କଳା ଗର୍ତ୍ତ ଦେଖାଯାଉଛି । ଶକ୍ତିଶାଳୀ ମହାକର୍ଷଣ ଶକ୍ତି ଯୋଗୁଁ କୃଷ୍ଣ ଗର୍ତ୍ତରେ ଆଲୋକ ବକ୍ର ହୋଇ ଏପରି ବୃତ୍ତ ସୃଷ୍ଟି କରିଛି । ଏହି କୃଷ୍ଣ ଗର୍ତ୍ତଟି ମେସିଆର-୮୭ ଗାଲାକ୍ସି ରେ ଅବସ୍ଥିତ । ଏହି କୃଷ୍ଣଗର୍ତ୍ତଟି ପୃଥିବୀଠାରୁ ପ୍ରାୟ ୫୪ ନିୟୁତ ଆଲୋକ ବର୍ଷ ଦୂରରେ ରହିଛି ।

କୃଷ୍ଣ ଗର୍ତ୍ତ ବା ବ୍ଲାକ ହୋଲ୍‌ କଣ ?
ସରଳ ଭାଷାରେ କହିଲେ ଏହା ହେଉଛି ମହାକାଶରେ ଏକ ମହା-ଶୂନ୍ୟ ସ୍ଥାନ । ଏକ ଅତି କମ ସ୍ଥାନରେ ଏକ ବିଶାଳ ଆକାର ସନ୍ନିହିତ ହୋଇ ରହିଥାଏ । ଉଦାହରଣସ୍ୱରୂପ ସୂର୍ଯ୍ୟର ୧୦ ଗୁଣ ଆକାରର ଏକ ବସ୍ତୁ ଭୁବନେଶ୍ୱର ଆକାରର ଏକ ସ୍ଥାନରେ ସନ୍ନିହିତ ହୋଇରହିବା । ଏପରି ହେଲେ ଅତି ଶକ୍ତିଶାଳୀ ମହାକର୍ଷଣ ଶକ୍ତି ସୃଷ୍ଟି ହୋଇଥାଏ, ଯାହାକି ସବୁପ୍ରକାରର ପଦାର୍ଥ ଏପରିକି ବିଦ୍ୟୁତ-ଚୁମ୍ବକୀୟ ତରଙ୍ଗ କିମ୍ବା ଆଲୋକକୁ ମଧ୍ୟ ନିଜ ଗର୍ଭରେ ଆତ୍ମସାତ କରିପାରେ । ଯେତେବେଳେ ଏକ ବୃହତ ତାରକାର ଜୀବନକାଳ ସମାପ୍ତ ହୋଇଯାଏ ବା ତାହା ଧ୍ୱଂସ ପ୍ରାପ୍ତ ହୁଏ, ତାହାର କେନ୍ଦ୍ରସ୍ଥାନରେ ଏକ ବ୍ଲାକହୋଲ ସୃଷ୍ଟି ହୁଏ ଓ ତାହା ଧୀରେ ଧୀରେ ନିଜ ଚାରିପଟେ ଥିବା ଅନ୍ୟ ତାରକାମାନଙ୍କୁ ନିଜ ଗର୍ଭକୁ ଟାଣି ଆତ୍ମସାତ କରିଦିଏ । ଏହା ଫଳରେ ବ୍ଲାକ ହୋଲଟି ଧୀରେ ଧୀରେ ବଡ଼ ଆକାର ଧାରଣ କରେ ।

ସମ୍ବନ୍ଧିତ ଖବର