ବେଙ୍ଗାଲୁରୁରେ ୨୦୧୮ ଜାନୁଆରି ୧ରେ ଜନ୍ମ ହେବାକୁ ଥିବା ପ୍ରଥମ ଶିଶୁକନ୍ୟାକୁ ମାଗଣାରେ ଶିକ୍ଷା ଦେବେ ସରକାର

ବେଙ୍ଗାଲୁରୁ : ଗର୍ଭଧାରଣ ଠାରୁ ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ଗୋଟିଏ ମା’ର ଅନେକ ଚିନ୍ତାଥାଏ । ପୁଣି ପୁଅର ଆଶା ରଖିଥିବା ମାତାପିତାମାନେ ଝିଅକୁ ବୋଝ ଭାବି ଗର୍ଭପାତ କରାଇବାକୁ ପଛାନ୍ତିନାହିଁ । ଏହି ସବୁ ଧାରଣାକୁ ଲୋକମାନଙ୍କ ମନରୁ ହଟାଇବା ପାଇଁ ବେଙ୍ଗାଲୁରୁରେ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି।
୨୦୧୮ ଜାନୁଆରି ୧ରେ ଜନ୍ମ ହୋଇଥିବା ପ୍ରଥମ ଶିଶୁକନ୍ୟାକୁ ମାଗଣାରେ ଶିକ୍ଷା ଦିଆଯିବ ବୋଲି ବେଙ୍ଗଲୁରୁର ମେୟର ଆର୍‌.ସଂପତରାଜ ଘୋଷଣା କରିଛନ୍ତି । ବେଙ୍ଗାଲୁରୁରେ ଯେ କୌଣସି ସରକାରୀ ଡ଼ାକ୍ତରଖାନରେ ନୂଆବର୍ଷ ଦିନ ଜନ୍ମ ହୋଇଥିବା ପ୍ରଥମ ଶିଶୁକନ୍ୟାକୁ ଗ୍ରାଜୁଏସନ୍‌ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଦିଆ ଦିଆଯିବ ବୋଲି ସେ କହିିଛନ୍ତିି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଖୋଲାଯିବ ଏକ ଜଏଣ୍ଟ ଆକାଉଣ୍ଟ ଓ ସେଥିରେ ୫ଲକ୍ଷ ଟଙ୍କା ଜମା କରାଯିବା ସହ ଏଥିରୁ ମିଳୁଥିବା ସୁଧ ଶିଶୁ କନ୍ୟାର ପଢ଼ାରେ ଲାଗିବ ବୋଲି ମେୟର କହିଥିଲେ ।
ସରକାରୀ ଡ଼ାକ୍ତରଖାନାକୁ ଆସୁଥିବା ଗର୍ଭବତୀ ମହିଳା ସାଧାରଣତଃ ଭାବରେ ଗରିବ ଶ୍ରେଣୀର ହୋଇଥିବା ବେଳେ ଶିଶୁକନ୍ୟାକୁ ବୋଝବୋଲି ଭାବିଥାନ୍ତି । ଏଭଳି ଧାରଣାକୁ ଦୂର କରିବା ପାଇଁ ଏହି ପଦକ୍ଷପ ନିଆ ଯାଇଥିବା ଜଣାପଡ଼ିଛି । ଏଥି ପାଇଁ ସବୁ ସରକାରୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଡ଼ିସେମ୍ବର ୩୧ ମଧ୍ୟରାତ୍ର ପରଠାରୁ ଟାଇମ୍‌ ରେକର୍ଡ଼ କରାଯିବାକୁ କୁହାଯାଇଛି । ପ୍ରଥମ ଶିଶୁକନ୍ୟା କିଏ ଜଣା ପଡ଼ିବା ପରେ ଜାନୁଆରି ୧ରେ ବିଜେତା ଘୋଷଣା କରାଯିବ ବୋଲି କହିଛନ୍ତି ସଂପତରାଜ । ବେଙ୍ଗାଲୁରୁରେ ୩୨ଟି ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ୨୬ଟି ପ୍ରସୁତି ବିଭାଗ ରହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର