ବାରାଣାସୀରେ ନୌବିହାର ପାଇଁ ଉଦ୍‌ଘାଟିତ ବିଳାସପୂର୍ଣ୍ଣ ଜାହାଜକୁ ବିରୋଧ କଲେ ସାଧୁ ସମାଜ; ମଦ, ମାଂସ ପରଷୁ ଥିବା ଜାହାଜ କେମିତି ଚାଲିବ ଗଙ୍ଗା ବକ୍ଷରେ?

ବାରାଣାସୀ (ଉତ୍ତରପ୍ରଦେଶ): ପବିତ୍ର ଗଙ୍ଗା ନଦୀର ବକ୍ଷରେ ପର୍ଯ୍ୟଟକମାନଙ୍କ ପାଇଁ ନୌବିହାର ଉଦ୍ଦେଶ୍ୟରେ ଏକ ପଞ୍ଚତାରକା ହୋଟେଲରେ ଉପଲବ୍ଧ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଥାଇ ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଜଳଜାହାଜକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସନ୍ଧ୍ୟାରେ ଉଦ୍‌ଘାଟନ କରିବା ପରେ ଏହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି। କାଶୀ ଓ ବାରାଣସୀର ସାଧୁ ସମାଜ ସହ ଗଙ୍ଗା ମହାସଭାର ମହାସଚିବ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ ଏହି ଘଟଣାର ତୀବ୍ର ବିରୋଧ କରିଛନ୍ତି।

ଗଙ୍ଗା ମହାସଭାର ମହାସଚିବ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ କହିଛନ୍ତି, ଯେଉଁ ଜଳ ଜାହାଜ ଉପରେ ଯାତ୍ରୀ ବା ପର୍ଯ୍ୟଟକମାନଙ୍କୁ ବିଭିନ୍ନ ପ୍ରକାରର ଆମିଷ ଠାରୁ ଆରମ୍ଭ କରି ମଦ ପର୍ଯ୍ୟନ୍ତ ସବୁ କିଛି ପରଷା ଯିବ, ସେ ଜାହାଜ କେମିତି ଗଙ୍ଗା ବକ୍ଷ ଉପରେ ଚଳ ପ୍ରଚଳ କରିବ? ଗଙ୍ଗା କେବଳ ମାତ୍ର ଭାରତର ଏକ ପବିତ୍ର ନଦୀ ନୁହେଁ ବରଂ ଏହା ଭାରତର ଆତ୍ମା। ଏସବୁ ଜାଣିବା ପରେ ବି କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାର କିପରି ଏହି ଜାହାଜକୁ ଗଙ୍ଗା ବକ୍ଷରେ ଚଳପ୍ରଚଳ କରିବାକୁ ଅନୁମତି ଦେଲେ ବୋଲି ସେ ପ୍ରଶ୍ନ କରିବା ସହ ସରକାରଙ୍କର ଏହି ନିଷ୍ପତ୍ତି ଉଭୟ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟଙ୍କ ରୁଲିଂର ବିରୁଦ୍ଧାଚରଣ କରୁଛି ବୋଲି ଦର୍ଶାଇଛନ୍ତି ସ୍ୱାମୀ ଜିତେନ୍ଦ୍ରାନନ୍ଦ।

ଉଲ୍ଲେଖଯୋଗ୍ୟ, ନର୍‌ଡିକ୍‌ କ୍ରୁଜ୍‌ ଲାଇନ୍‌ ପକ୍ଷରୁ ପଞ୍ଚତାରକା ହୋଟେଲରେ ଉପଲବ୍ଧ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଥାଇ ୨୦୦୦ ବର୍ଗ ଫୁଟ ବିଶିଷ୍ଟ ଦୁଇ ମହଲାର ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଜଳଜାହାଜକୁ ଗଙ୍ଗା ବକ୍ଷରେ ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ଜାହାଜରେ ୧୨୫ ଜଣ ଯାତ୍ରୀଙ୍କ ପାଇଁ ନୌବିହାର ସହ ଦ୍ୱାଦଶମେଧ ଘାଟରେ ‘ଗଙ୍ଗା ଆରତୀ’ ସହ ବରାଣାସୀର ଅସୀ ଘାଟରେ ‘ସୁବ୍‌ହା- ଇ- ବନାରସ’ ବୁଲି ଦେଖାଇବା ସହ ଏହା ଭିତରେ ରାତ୍ରୀ ଯାପନ ପାଇଁ ମଧ୍ୟ ବ୍ୟବସ୍ଥା କରା ଯାଇଥିଲା।

ସମ୍ବନ୍ଧିତ ଖବର