ପ୍ରଥମ ଥର ପାଇଁ ରାତିରେ ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୩ର ପ୍ରଥମ ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି । ଆଜି ସଂଧ୍ୟା ୭ଟା ୧୮ ମିନିଟରେ ଭଦ୍ରକ ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଆରଡିଓ) ଦ୍ୱାରା ବିକଶିତ ଅଣୁ ଅସ୍ତ୍ରବହନ କରିପାରୁଥିବା ଅଗ୍ନି-୩ ଇତି ମଧ୍ୟରେ ଭାରତୀୟ ସେନାରେ ସାମିଲ ହୋଇସାରିଛି । ଏହା ପ୍ରାୟ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ।

ଏହାର ରେଞ୍ଜରେ ପାକିସ୍ତାନର ସବୁ ଅଞ୍ଚଳ ଓ ଚୀନର ଅଧିକାଂଶ ଅଂଚଳ ଆସୁଛି । ପୂର୍ବରୁ ଅଗ୍ନି-୩ର ଅନେକ ଥର ପରୀକ୍ଷା କରାଯାଇଥିଲେ ମଧ୍ୟ ଏଥରର ପରୀକ୍ଷଣ କିଛିଟା ସ୍ୱତନ୍ତ୍ର । କାରଣ ପ୍ରଥମ ଥର ପାଇଁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା ରାତିରେ ହୋଇଛି । ରାତିରେ ହୋଇଥିଲେ ମଧ୍ୟ ଏହା ସଠିକଭାବେ ନିଜର ଲକ୍ଷ୍ୟ ଭେଦ କରିଥିଲା । ଏହି କ୍ଷେପଣାସ୍ତ୍ରରେ ହାଇ ଏନର୍ଜି ସଲିଡ ପ୍ରୋପେଲାଣ୍ଟ କମ୍ପୋଜାଇଟ ରକେଟ ମୋଟର ଇଂଜିନ ଲାଗିଛି । ଆଜିର ଏହି ପରୀକ୍ଷଣ ପୂର୍ବରୁ ସରକାରଙ୍କ ତରଫରୁ ବିମାନ ଚଳାଚଳ ସଂପର୍କିତ ସତର୍କତା ଜାରି କରାଯାଇଥିଲା ।

ସମ୍ବନ୍ଧିତ ଖବର