ଉଡ଼ିଲା ଭାରତ ପାଇଁ ତିଆରି ହୋଇଥିବା ପ୍ରଥମ ରାଫେଲ ବିମାନ, ଆସନ୍ତା ବର୍ଷ ଭାରତକୁ ଆସିବ

ନୂଆଦିଲ୍ଲୀ : ରାଫେଲ ବିମାନ କିଣାକୁ ନେଇ ଆମ ଦେଶର ରାଜନୈତିକ ସ୍ତରରେ ବିବାଦ ସରଗରମ ଥିବାବେଳେ ସେପଟେ ଡାସାଁ କମ୍ପାନି ବିମାନ ନିର୍ମାଣ ଜାରି ରଖିଛି । ଇତି ମଧ୍ୟରେ କମ୍ପାନି ଭାରତ ଅର୍ଡର ଦେଇଥିବା ୩୬ଟି ବିମାନ ମଧ୍ୟରୁ ପ୍ରଥମଟିର ନିର୍ମାଣ ଶେଷ ହୋଇଛି ଓ ଏହାର ପରୀକ୍ଷାମୂଳକ ଉଡାଣ ଆରମ୍ଭ ହୋଇଛି । ଗତ ଅକ୍ଟୋବର ୩୦ରେ ଏହାର ପ୍ରଥମ ଉଡାଣ ହୋଇଥିଲା । ଏହି ବିମାନଟିରେ ଦୁଇଜଣ ପାଇଟଲ ବସିପାରିବେ ଓ ଏହାର ନାଁ ରଖାଯାଇଛି ଆରବି-୦୦୮ । ଭାରତୀୟ ବାୟୁସେନାର ଏୟାର ମାର୍ସାଲ ଆରକେଏସ ଭାଦୋରିଆଙ୍କ ନାଁରେ ଏହି ବିମାନର ନାମକରଣ କରାଯାଇଥିବା ଜଣାଯାଇଛି ।

ଗତ ୨୦୧୬ରେ ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ୩୬ଟି ରାଫେଲ ବିମାନ ଯୋଗାଣ ପାଇଁ ଚୁକ୍ତି ହୋଇଥିଲା । ଏହି ଚୁକ୍ତିକୁ ସାକାର କରିବା ଦିଗରେ ଏୟାର ମାର୍ସାଲ ଭାଦୋରିଆଙ୍କ ଉଲ୍ଲେଖନୀୟ ଉଦ୍ୟମ ରହିଥିଲା । ଏଣୁ ଏହାକୁ ସ୍ୱୀକୃତି ଜଣାଇ ଡାସାଁ ପକ୍ଷରୁ ଏପରି ନାମକରଣ କରାଯାଇଛି । ଆସନ୍ତା ବର୍ଷଠାରୁ ଫ୍ରାନ୍ସ ଭାରତକୁ ରାଫେଲ ବିମାନ ଯୋଗାଣ ଆରମ୍ଭ କରିବ ଓ ଏହା ୨୦୨୨ ସୁଦ୍ଧା ଶେଷ ହେବ । ଏହି ରାଫେଲ ବିମାନର ମୂଲ୍ୟ ଓ ରିଲାଏନ୍ସକୁ ଅଫସେଟ ପାର୍ଟନର କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଉଛି ।

ସମ୍ବନ୍ଧିତ ଖବର