ପ୍ରଥମ ପର୍ଯ୍ୟାୟ ଭୋଟ୍‌:ଥମିଲା ପ୍ରଚାର

୯୧ ଲୋକସଭା ଆସନ ପାଇଁ ୧୧ରେ ମତଦାନ ମଇଦାନରେ୧୨୭୯ ପ୍ରାର୍ଥୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧ରେ ଭୋଟ୍‌ ଗ୍ରହଣ ହେବ। ଚଳିତ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ ୧୨୭୯ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଭୋଟ୍‌ ଗ୍ରହଣ ହେବାକୁ ଥିବା ୯୧ଟି ଲୋକସଭା କ୍ଷେତ୍ରରେ ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। କେତେକ ଆସନରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବି ଭୋଟ୍‌ ଗ୍ରହଣ ହେବ ବୋଲି ଜଣାପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୮ ଲୋକସଭା ଆସନ, ବିହାରର ୪ଟି ଆସନ, ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ଟି ଆସନ ଏବଂ ତେଲେଙ୍ଗାନର ସମସ୍ତ ୧୭ ଆସନରେ ମତଦାନ ହେବ। ଉତ୍ତର ପ୍ରଦେଶର ୮ଟି ଆସନରେ ସକାଳ ୭ଟାରୁ ୬ଟା ପର୍ଯ୍ୟନ୍ତ ଏବଂ ବିହାରର ୪ଟି ଆସନରେ ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ପାଇଁ ସମୟ ସୀମା ଧର୍ଯ୍ୟ କରାଯାଇଛି। ସମସ୍ତ ଆସନରେ ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସମ୍ବେଦନଶୀଳ ଓ ଅତୀବ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର