ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ୫ଟି କ୍ରିକେଟ ମ୍ୟାଚ କାଳରେ ଘଟିଥିବା ୫ଟି ଅଭୁଲା ଘଟଣା; ଯାହାକୁ ଭୁଲି ପାରିଛନ୍ତି ନା କ୍ରିକେଟର ନା କ୍ରିକେଟ ପ୍ରେମୀ…

ନୂଆଦିଲ୍ଲୀ: କ୍ରିକେଟ ପାଗଳ ଦେଶ ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହେଉଛି ପାକିସ୍ତାନ। ସୀମାନ୍ତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେତେ ପରିମାଣରେ ଉତ୍ତେଜନା ଦେଖିବାକୁ ନ ମିଳେ; ତା’ଠାରୁ ବହୁ ବହୁ ଗୁଣରେ ଅଧିକ ଉତ୍ତେଜନା ଦେଖିବାକୁ ମିଳିଥାଏ, ଭାରତ- ପାକିସ୍ତାନ ମଧ୍ୟରେ ହେଉଥିବା କ୍ରିକେଟ ମ୍ୟାଚମାନଙ୍କରେ। ଆଉ ଏହାର ମଜା ନେବାକୁ ବିଶ୍ୱର ସମସ୍ତ କ୍ରିକେଟ ପ୍ରେମୀ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି। ସତେ ଯେପରି ଷ୍ଟାଡ଼ିୟମ ଭିତରେ ଭାରତ- ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ନୁହେଁ; ବରଂ ଯୁଦ୍ଧ ଚାଲିଛି।

ସଂପ୍ରତି, ଏସିଆ କପ୍‌ ପାଇଁ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଆସନ୍ତା କାଲି ଦୁବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ତେଣୁ, ସ୍ୱାଭାବିକ ଭାବେ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଭାରତ ପାକିସ୍ତାନ ମଧ୍ୟରେ ମ୍ୟାକୁ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଓ ତାତି ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ଆଜି ଆମେ ଏଠାରେ ପ୍ରସ୍ତୁତ କରୁଛୁ ପୂର୍ବରୁ ଭାରତ- ପାକିସ୍ତାନ ମଧ୍ୟରେ ହୋଇଥିବା ପାଞ୍ଚଟି କ୍ରିକେଟ ମ୍ୟାଚ କାଳରେ ଘଟିଥିବା ୫ଟି ଅଭୁଲା ଘଟଣା। ଯାହାକୁ ଭୁଲିପାରିଛନ୍ତି ଖୋଦ୍‌ କ୍ରିକେଟିଅର ନା କ୍ରିକେଟ ପ୍ରେମୀ …

ପ୍ରଥମ ଘଟଣା:  ଅକ୍ଟୋବର ୩୧, ୧୯୮୪। ପାକିସ୍ତାନର ସିଆଲକୋଟ୍‌ ଷ୍ଟାଡ଼ିୟମରେ ଚାଲିଥାଏ ଭାରତ- ପାକିସ୍ତାନ ଏକ ଦିନିକିଆ ଅନ୍ତର୍ଜାତିକ ମ୍ୟାଚ । ରବି ଶାସ୍ତ୍ରୀ ଫୁଲ୍‌ ଫର୍ମରେ କ୍ରିଜ୍‌ରେ ଥାଇ ଭାରତ ପାଇଁ ବେଶ୍‌ ଦ୍ରୁତ ଗତିରେ ସଂଗ୍ରହ କରୁଥାନ୍ତି ରନ୍‌। ଏହି ସମୟରେ ଆସିଲା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଖବର। ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ନିଜ ଦେହରକ୍ଷୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଏହି ଖବର ଶୁଣିବା ପରେ ପଡ଼ିଆ ଭିତରେ ହତବାକ୍‌ ହୋଇ ରହିଗଲେ ଭାରତୀୟ ଖେଳାଳି। ଅବଶ୍ୟ ଏହି ଘଟଣା ପରେ ମ୍ୟାଚ୍ଚ୍‌କୁ ତୁରନ୍ତ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜିଆ ଉଲ୍‌ ହକ୍‌। ସେଦିନର ସ୍ମୃତିକୁ ମନେ ପକାଇ ସେତେବେଳେ ଭାରତୀୟ ଦଳର ଅଧିନାୟକ ଥିବା ଦିଲ୍ଲୀପ ଭେ୍‌ଙ୍ଗସରକାର କହନ୍ତି, ଏ ଖବର ପାଇବା ପରେ ସେଦିନ ଆଉ କୌଣସି ଖେଳାଳି ଖେଳିବାର ମାନସିକତାରେ ନଥିଲେ। ଆମେ ମଧ୍ୟ ନିଶ୍ଚିତ ଥିଲୁ ମ୍ୟାଚ ବାତିଲ ହେବ। ଏହି ଘଟଣାକୁ ଇତିମଧ୍ୟରେ ୩୦ ବର୍ଷ ଅତିକ୍ରାନ୍ତ ହୋଇଗଲାଣି; ହେଲେ ଏଘଟଣାକୁ ଏଯାବତ୍‌ ଭୁଲି ପରି ନାହାନ୍ତି ସେଦିନର କୌଣସି ଖେଳାଳି।

ଦ୍ୱିତୀୟ ଘଟଣା: ମାର୍ଚ୍ଚ ୨୨, ୧୯୮୫। ୟୁନାଇଟେଡ୍‌ ଆରବ ଏମିରେଟସ୍‌ (ୟୁଏଇ)ରେ ଚାଲିଥାଏ ଭାରତ- ପାକ୍‌ ମଧ୍ୟରେ ଅନ୍ୟ ଏକ ଦିନିକିଆ ଅନ୍ତର୍ଜାତିକ ମ୍ୟାଚ। ସେତେବେଳେ ପାକିସ୍ତାନ୍‌ କ୍ରିକେଟ ଟିମ୍‌ର ଅଧିନାୟକ ଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ମାତ୍ର ୧୪ ରନ୍‌ ବିନିୟରେ ୬ଟି ଉଇକେଟ୍‌ର ପତନ ଘଟାଇ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇବା ପରେ ଭାରତ ଦଳ ମାତ୍ର ୧୨୫ରେ ଅଲ୍‌ ଆଉଟ୍‌ ହୋଇ ଯାଇଥିଲା। ଏହାପରେ ସମସ୍ତେ ଧରି ନେଇଥିଲେ ଯେ ଏହି ମ୍ୟାଚରେ ପାକିସ୍ତାନ୍‌ର ବିଜୟ ସୁନିଶ୍ଚିତ। ହେଲେ, ସମସ୍ତଙ୍କର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଭାରତୀୟ ବୋଲରମାନେ ସେମାନଙ୍କର ବୋଲିଂ କମାଲ ଦେଖାଇ ମାତ୍ର ୮୭ ରନ୍‌ରେ ପାକିସ୍ତାନକୁ ଅଲ୍‌ ଆଉଟ କରି ପରାଜୟର ଦ୍ୱାର ଦେଖାଇ ଦେଇଥିଲେ। ଏହି ମ୍ୟାଚରେ ପରାଜୟର ଗ୍ଲାନିକୁ ଆଜି ଯାଏ ଭୁଲିପାରି ନାହାନ୍ତି ପାକିସ୍ତାନ କ୍ରିକେଟ ଖେଳାଳି। ଯଦିଓ ସେଦିନର ଏଇ ମ୍ୟାଚରେ ମ୍ୟାନ୍‌ ଅଫ୍‌ ଦ’ ମ୍ୟାଚ୍ଚ୍‌ ହୋଇଥିଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌।

ତୃତୀୟ ଘଟଣା: ଅପ୍ରେଲ ୧୮, ୧୯୮୬। ସାର୍‌ଜାରେ ଚାଲିଥାଏ ଭାରତ- ପାକ୍‌ ମଧ୍ୟରେ ଅନ୍ୟ ଏକ ଦିନିକିଆ ଅନ୍ତର୍ଜାତିକ ମ୍ୟାଚ। ମ୍ୟାଚଟି ଏକ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚି ସମସ୍ତଙ୍କର ହୃତସ୍ପନ୍ଦନକୁ ବଢ଼ାଇ ଦେଇଥାଏ। କାରଣ, ମ୍ୟାଚ ଜିତିବା ପାଇଁ ପାକିସ୍ତାନକୁ ଶେଷ ବଲ୍‌ରୁ ଆବଶ୍ୟକ ଥାଏ ୪ ରନ୍‌ର। ସେତେବେଳକୁ କ୍ରିଜ୍‌ରେ ଥାଇ ପାକିସ୍ତାନ ପାଇଁ ବ୍ୟାଟିଂ କରୁଥାଆନ୍ତି ଜାଭେଦ୍‌ ମଆଁଦାଦ୍‌। ଆଉ ଏପଟେ ବୋଲିଂ ଏଣ୍ଡରୁ ଭାରତ ପକ୍ଷରୁ ବୋଲିଂ କରୁଥାନ୍ତି ଦ୍ରୁତ ବୋଲର ଚେତନ୍‌ ଶର୍ମା। ସମସ୍ତେ ଥାଆନ୍ତି ଉତ୍କଣ୍ଠିତ। ହେଲେ ଚେତନ୍‌ ଶର୍ମା ପକାଇ ଦେଲେ ଗୋଟିଏ ଫୁଲ୍‌ଟସ୍‌ ବଲ୍‌। ଆଉ ଏହାର ଫାଇଦା ଉଠାଇ ମିଆଁଦାଦ୍‌ ବଲ୍‌ଟିକୁ ଛକା ମାରି ଷ୍ଟାଡ଼ିୟମ ବାହାରକୁ ପଠାଇ ଦେଇଥିଲେ। ଏହି ମ୍ୟାଚରେ ପାକିସ୍ତାନ ବିଜୟ ହାସଲ କରିବା ସହ ଭାରତ ଏକ ଅବାଞ୍ଛିତ ପରାଜୟକୁ ସାମନା କରିଥିଲା। ମ୍ୟାଚ ପରେ ଉଭୟ ଦେଶର ଖେଳାଳିମାନେ ଯେତେବେଳେ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ସେତେବେଳେ ଏହି ବିଜୟ ପାଇଁ ମିଆଁଦାଦ୍‌ଙ୍କୁ ପାକିସ୍ତାନ୍‌ରେ ଏକ ସୁନାର ଖଣ୍ଡା ମିଳିଥିବା ବେଳେ ଭାରତରେ ଚେତନ୍‌ ଶର୍ମାଙ୍କୁ ମିଳିଥିଲା ପଚା ଟମାଟୋ ଓ ଅଣ୍ଡା!

ଚତୁର୍ଥ ଘଟଣା: ୧୯୯୯, ଚେନ୍ନାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥାଏ ଏକ ଟେଷ୍ଟ ମ୍ୟାଚ। ପାକିସ୍ତାନର ଦ୍ୱିତୀୟ ଇନିଂସ ପରେ ଭାରତ ବିଜୟ ପାଇଁ ୨୭୧ ରନ୍‌ର ପିଛା କରୁଥାଏ। ତଥାପି, ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିବା ସତ୍ତ୍ୱେ ସଚିନ୍‌ ତେନ୍ଦୁଲକର ନିଜେ ୧୩୬ ରନ୍‌ ସଂଗ୍ରହ କରି ଭାରତକୁ ବିଜୟ ଦ୍ୱାର ଦେଶକୁ ନେଇ ଆସିଥିଲେ, ଏବଂ ଶେଷ ପର୍ଯ୍ୟନ୍ତ ଥିଲେ ଅପରାଜିତ। କିନ୍ତୁ ଭାରତର ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ମାନେ ପାକିସ୍ତାନୀ ସ୍ପିନରମାନଙ୍କର ସାମନା କରି ପାରିଲେ ନାହିଁ। ଫଳରେ ମାତ୍ର ୧୨ ରନ୍‌ରେ ଭାରତ ହାରିଗଲା ଏହି ଟେଷ୍ଟ ମ୍ୟାଚ। ମ୍ୟାଚ ଶେଷ ପରେ ଉଭୟ ଖେଳାଳିମାନେ ଯେତେବେଳେ ପଡ଼ିଆରୁ ପ୍ୟାଭଲିୟନକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ଷ୍ଟାଡିୟମରେ ଉପସ୍ଥିତ ଭାରତୀୟ ଦର୍ଶକ ପାକିସ୍ତାନୀ ଅଲ୍‌ରାଉଣ୍ଡର ଓ୍ଵାସିମ୍‌ ଓ୍ଵାକ୍ରମ୍‌ଙ୍କୁ ଛିଡ଼ା ହୋଇ ଅଭିବାଦନ ଜଣାଇଥିବା ବେଳେ ସଚିନଙ୍କ ଆଡ଼କୁ ଆଡ଼ ଆଖିରେ ସୁଦ୍ଧା ଚାହିଁ ନଥିଲେ। ଏ ଘଟଣା ଦାରୁଣ ଆଘାତ ଦେଇଥିଲା ‘ଲିଟିଲ ମାଷ୍ଟର’ ସଚିନ୍‌ ତେନ୍ଦୁଲକରଙ୍କୁ। ସେ ଏତେ ମ୍ରିୟମାଣ ଓ ଭାବପ୍ରବଣ ହୋଇ ପଡ଼ିଥିଲେ ଯେ ଡ୍ରେସିଂରୁମ୍‌ ଭିତରେ ନିଜ କୋହ ସମ୍ବରଣ କରି ନ ପାରି ଭେଁ ଭେଁ ହୋଇ କାନ୍ଦିବା ସହ ନିଜର ମ୍ୟାନ୍‌ ଅଫ୍‌ ଦ ମ୍ୟାଚ ପୁରସ୍କାର ଗ୍ରହଣ କରିବାକୁ ସୁଦ୍ଧା ଷ୍ଟେଜ୍‌ ଉପରକୁ ଆସି ନ ଥିଲେ ବୋଲି ଅତୀତର ସ୍ମୃତିକୁ ରୋମନ୍ଥନ କରି କହନ୍ତି ଭାରତୀୟ କ୍ରିକେଟ ଟିମ୍‌ର ତଦନାନ୍ତୀନ କୋଚ୍‌ ଅଂଶୁମାନ ଗାଇକ୍‌ଓ୍ଵାଡ୍‌।

ପଞ୍ଚମ ଘଟଣା: ୨୦୦୭, ଦକ୍ଷିଣ ଆଫ୍ରିକା, ଜୋହନ୍ସବର୍ଗ: ନୂଆ ଫର୍ମାଟରେ ଆରମ୍ଭ ହୋଇଥିବା ଟି-୨୦ କ୍ରିକେଟର ବିଶ୍ୱକପ୍‌ ଫାଇନାଲ ଚାଲିଥାଏ। ମୁହାଁମୁହିଁ ହୋଇଥାନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଭାରତ ସଂଗ୍ରହ କରିଥିଲା ୧୫୮। ବିଜୟ ହାସଲ ପାଇଁ ପାକିସ୍ତାନ କରୁଥିଲା ୧୫୯ ରନ୍‌ । ପାକିସ୍ତାନ ପକ୍ଷରୁ ଧୂଆଁଧାର ବ୍ୟାଟିଂ କରି ମିସ୍‌ବା ଉଲ୍‌ ହକ୍‌ ପାକିସ୍ତାନକୁ ନେଇ ପହଞ୍ଚାଇ ଦେଇଥିଲେ ବିଜୟର ଦ୍ୱାର ଦେଶରେ। ଲାଗୁଥିଲା ନିର୍ଦ୍ଧାରିତ ଓଭର ଶେଷ ହେବା ପୂର୍ବରୁ ପାକିସ୍ତାନ ଜିତିଯିବ। ହେଲେ, ହଠାତ୍‌ ସବୁ ଅଙ୍କ ଭୁଲ ହୋଇଗଲା। ବିଜୟ ସଟ୍‌ ମାରିବାକୁ ମିସ୍‌ବା ଏତେ ବ୍ୟଗ୍ର ହୋଇପଡ଼ିଥିଲେ ଯେ ତାଙ୍କୁ ବୋଲିଂ କରୁଥିବା ଭାରତୀୟ ପେସ୍‌ ବୋଲର ଯୋଗେନ୍ଦ୍ର ଶର୍ମାଙ୍କ ଏକ ବଲ୍‌କୁ ଭୁଲ୍‌ ଖେଳି ଦେଇଥିଲେ। ବଲ୍‌ଟି କ୍ୟାଚ୍‌ ହୋଇ ଯାଇଥିଲା ଆଉ ଯାହାକୁ ଶ୍ରୀସନ୍ଥ ଧରିବା ପରେ ପାକିସ୍ତାନର ସବୁ ‘ଖେଲ୍‌ ଖତମ୍‌’ ହୋଇ ଯାଇଥିଲା। ଆଉ, ଅଧିନାୟକ ମହେନ୍ଦ୍ର ସଂହ ଧୋନିଙ୍କ ସମେତ ପୂରା ଟିମ୍‌ ଇଣ୍ଡିଆ ପୂର୍ବରୁ କେବେ ମନେଇ ନ ଥିବା ଖୁସି ପରି ଖୁସି ମନେଇଲା। ଆଉ ଏପଟେ ମିସ୍‌ବା ଉଲ୍‌ ହକ୍‌ ତାଙ୍କ ସମଗ୍ର ଜୀବନ କାଳ ପାଇଁ ଏକ ସୁଯୋଗକୁ ହାତଛଡ଼ା କରିଦେଲେ।

ସମ୍ବନ୍ଧିତ ଖବର