୧୦ରୁ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି; ମୁଖ୍ୟବିଚାରପତିଙ୍କ ନେତୃତ୍ୱରେ ଗଠନ ହେଲା ୫ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ : ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ନେଇ ସୁପ୍ରିମକୋର୍ଟରେ ଆସନ୍ତା ୧୦ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ହେବ।  ବହୁଚର୍ଚ୍ଚିତ ଅଯୋଧ୍ୟା  ମାମଲାର ଶୁଣାଣି ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ନିଷ୍ପତ୍ତି ହୋଇଛି। ଏହି ସାମ୍ବିଧାନିକ ଖଣ୍ଡପୀଠ ମୁଖ୍ୟବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତୃତ୍ୱରେ ଗଠନ କରାଯିବ। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌.ଏ.ବବଦେ, ଜଷ୍ଟିସ୍‌ ଏନ.ଭି ରମଣା, ଜଷ୍ଟିସ୍‌ ୟୁ.ୟୁ.ଲଲିତ ଓ ଜଷ୍ଟିସ୍‌ ଡି.ଓ୍ଵାଇ.ଚନ୍ଦ୍ରଚୂଡ଼ ସଦସ୍ୟ ରହିଛନ୍ତି।

ପ୍ରଥମେ ଅଯୋଧ୍ୟା ମାମଲାର ଶୁଣାଣି ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ବାବଧାନରେ ଗଠିତ ଖଣ୍ଡପୀଠରେ ହେଉଥିଲା। ଜଷ୍ଟିସ୍‌ ମିଶ୍ର ଅବସର ନେବା ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଥିଲେ ଅଯୋଧ୍ୟା ମାମଲାକୁ ଏକ ଜମି ବିବାଦ ଭାବେ ଗ୍ରହଣ କରାଯିବ ଏବଂ ସେହି ଆଧାରରେ ଶୁଣାଣି ହେବ।

ରାମ ଜନ୍ମଭୂମି ବାବ୍ରି ମସଜିଦ୍‌ ବିବାଦ ବିଗତ କିଛି ଦଶନ୍ଧୀ ଧରି ଲଟକି ରହିଛି। ତେବେ ସୁପ୍ରିମକୋର୍ଟ ମାମଲାର ତ୍ବରିତ ଶୁଣାଣି ପାଇଁ ମନା କରିଦେଇଛନ୍ତି। ୬, ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦ୍‌କୁ ଭାଙ୍ଗି ଦିଆଯାଇଥିଲା। ଏ ବାବଦରେ ଅପରାଧିକ ମାମଲା ସହିତ ଜମିଜମା ମକଦମା ମଧ୍ୟ ଚାଲିଛି। ମୂଳ ବିବାଦ ସହିତ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ୩୦ ସେପ୍ଟେମ୍ବର ୨୦୧୦ରେ ଆହ୍ଲାବାଦ୍‌ ହାଇକୋର୍ଟ ଏକ ରାୟରେ ବିବାଦୀୟ ଜମିକୁ ୩ ଭାଗରେ ବାଣ୍ଟିବା ପାଇଁ ରାୟ ଦେଇଥିଲେ। ଗୋଟିଏ ଭାଗ ହିନ୍ଦୁ ପକ୍ଷକୁ ଦିଆଯିବାକୁ କୋର୍ଟ କହିଥିଲେ। ଯେଉଁଠି ରାମ୍‌ଲାଲାଙ୍କ ମୂର୍ତ୍ତି ରହିଛି ‌ସେହି ଜମିକୁ ହିନ୍ଦୁ ପକ୍ଷଙ୍କୁ ଦେବାପାଇଁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟ ଦୁଇ ଭାଗରୁ ଗୋଟିଏ ଭାଗ ନିର୍ମୋହି ଆଖଡ଼ା ଏବଂ ଅନ୍ୟଭାଗ ସୁନି ସେଣ୍ଟ୍ରାଲ ୱା‌କଫ୍‌ ବୋର୍ଡକୁ ଦେବାକୁ ହାଇକୋର୍ଟ ରାୟ ଦେଇଥିଲେ।

ତେବେ ସମସ୍ତ ପକ୍ଷ ଏହି ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ। ସୁପ୍ରିମକୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟର ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇଥିଲେ ଏବଂ ପୂର୍ବ ସ୍ଥିତି କାଏମ୍‌ ରଖିବାକୁ କହିଥିଲେ। ଏହାପରେ ଗତବର୍ଷ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଖଣ୍ଡପୀଠ ଗଠନ କରିଥିଲେ।

ସମ୍ବନ୍ଧିତ ଖବର