ଜମ୍ମୁ-କଶ୍ମୀର: ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୫ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀମାନେ ରବିବାର ଏନ୍‌କାଉଣ୍ଟ୍‌ରେ ୫ ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ଟଳାଇ ଦେଇଛନ୍ତି। ଏଏନ୍‌ଆଇ ପକ୍ଷରୁ ହୋଇଥିବା ଏକ ଟୁଇଟ୍‌ ଅନୁସାରେ, ରବିବାର ସକାଳେ କୁଲଗାମ ଜିଲ୍ଲାସ୍ଥିତ କେଲମ ଦେବସାର ଅଞ୍ଚଳରେ ହେଉଥିବା ଏକ ସର୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ଅପରେସନ ସମୟରେ ସୁରକ୍ଷାକର୍ମୀମାନେ ୫ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ରହିଛି।

ତେବେ, ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଆତଙ୍କବାଦୀମାନଙ୍କର ଏଯାବତ୍‌ ଠିକ୍‌ ଭାବେ ଚିହ୍ନଟ ହୋଇପାରି ନାହିଁ। ପୁଲିସ୍‌ ସଂପୃକ୍ତ ଅଞ୍ଚଳରୁ ମାରଣାନ୍ତ୍ର ଜବତ କରିଥିବା ସୂଚନା ରହିଛି। ସେହି ସ୍ଥାନରେ ଏବେ ପଥରମାଡ଼ ହେଉଛି ବୋଲି ଜାଣିବାକୁ ମିଳିଛି। କିଛି ସିଆର୍‌ପିଏଫ୍‌ ଯବାନ ଏହି ମୁହାଁମୁହିଁ ସମୟରେ ଆହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ମାସ ଆରମ୍ଭରୁ ଜମ୍ମୁ-କଶ୍ମୀର ପୁଲଓ୍ଵାମାଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ୍‌-ଇ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ଜାନୁଆରି ୨୬ ତାରିଖରେ ଶ୍ରୀନଗରଠାରେ ସୁରକ୍ଷା ବଳ ସହ ମୁହାଁମୁହଁ ହେବା ପରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର