ନିଜ ହଜିଥିବା ଗାଈକୁ ଖୋଜୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଛରେ ବାନ୍ଧି ଗାଈ ମାଲିକଙ୍କ ହାତ କାଟିଦେଲେ ୫ ଦୁର୍ବୃତ୍ତ

ଭୋପାଳ (ମଧ୍ୟପ୍ରଦେଶ): ନିଜ ହଜିଥିବା ଗାଈକୁ ଖୋଜିବା ପାଇଁ ଅନ୍ୟ ଜଣଙ୍କ ଗାଈ ଫାର୍ମକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ଗଛରେ ବାନ୍ଧି ପକାଇବା ସହ ତାଙ୍କ ହାତକୁ କାଟି ଦେଇଛନ୍ତି ଗୁହାଳ ମାଲିକଙ୍କ ପରିବାର ଲୋକେ।

ଏହି ଘଟଣା ଘଟିଛି ମଧ୍ୟପ୍ରଦେଶ ଭୋପାଳ ଜିଲ୍ଲା ଅନ୍ତର୍ଗତ ରାଇସେନ୍‌ ଗ୍ରାମରେ। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସେଇ ଗ୍ରାମରେ ରହୁଥିବା ପ୍ରେମ ନାରାୟଣ ସାହୁ ନାମକ ଜନୈକ ବ୍ୟକ୍ତିଙ୍କର ଏକ ଗାଈ ଗତ ଶୁକ୍ରବାରରୁ ହଜି ଯାଇଥିଲା। ନିଜ ହଜିଥିବା ଗାଈକୁ ଖୋଜିବା ପାଇଁ ସାହୁ ରବିବାର ଦିନ ସେହି ଗ୍ରାମରେ ଏକ ଗାଈ ଫାର୍ମ କରିଥିବା ସତ୍ତୁ ଯାଦବ ନାମକ ଜନୈକ ବ୍ୟକ୍ତିଙ୍କ ଗାଈ ଫାର୍ମକୁ ଯାଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସାହୁ ଓ ସତ୍ତୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କାରଣ ପୂର୍ବରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ପରେ ସତ୍ତୁଙ୍କ ପରିବାରର ପାଞ୍ଚ ଜଣ ଲୋକ ସେଠାରେ ପହଞ୍ଚିଯାଇ ସାହୁଙ୍କୁ ଟାଣି ନେଇ ଏକ ଗଛରେ ବାନ୍ଧିଦେବା ସହ ତାଙ୍କ ହାତକୁ କାଟି ଦେଇଥିଲେ। ସେହି ସମୟରେ ସେଠାରେ ଅନ୍ୟ ଗ୍ରାମବାସୀମାନେ ଏହି ଘଟଣାକୁ ଦେଖୁଥିଲେ ସୁଦ୍ଧା କେହିହେଲେ ସାହୁଙ୍କୁ ଉଦ୍ଧାର କିମ୍ବା ସାହାଯ୍ୟ କରିବାକୁ ଆଗେଇ ଆସି ନଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ଆହତ ସାହୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲା। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର