କାଜିରଙ୍ଗା ଅଭୟାରଣ୍ୟରୁ ବାହାରି ଆସିଥିବା ମହାବଳ ବାଘ କବାଡ଼ି ଗୋଦାମ ଭିତରେ ପଶି ମାଲିକର ଖଟ ଉପରେ ଶୋଇଲା… ଭିଡିଓ ହେଲା ଭାଇରାଲ

କାଜିରଙ୍ଗା (ଆସାମ): ସଂପ୍ରତି ଆସାମରେ ବନ୍ୟା ଭୀଷଣ ରୂପ ଧାରଣ କରିଥିବା ବେଳେ, କାଜିରଙ୍ଗା ଅଭୟାରଣ୍ୟ ମଧ୍ୟରେ ବନ୍ୟା ଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଛି। ବନ୍ୟା ଜଳ ପ୍ରବେଶ କରିବା ପରେ ଅଭୟାରଣ୍ୟ ମଧ୍ୟରେ ଥିବା ବନ୍ୟଜନ୍ତୁମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କାଜିରଙ୍ଗା ଅଭୟାରଣ୍ୟ ମଧ୍ୟରେ ଥିବା ଗୋଟିଏ ମହାବଳ ବାଘ ବନ୍ୟାଜଳରୁ ନିଜ ଜୀବନ ବଞ୍ଚାଇବା ପାଇଁ ଅଭୟାରଣ୍ୟ ମଧ୍ୟରୁ ପଦାକୁ ବାହାରି ଆସି ଅଭୟାରଣ୍ୟ କଡ଼ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ହାରମୋତି ନିକଟରେ ଅବସ୍ଥିତ ଗୋଟିଏ କବାଡ଼ି ଗୋଦାମ ମଧ୍ୟରେ ପ୍ରବେଶ କରି କବାଡ଼ି ମାଳିକର ଖଟ ଉପରେ ଆଶ୍ରୟ ନେବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, କାଜିରଙ୍ଗା ଅଭୟାରଣ୍ୟ ମଧ୍ୟରେ ବନ୍ୟା ଜଳ ପ୍ରବେଶ କରିବା ପରେ ଅଭୟାରଣ୍ୟ ମଧ୍ୟରୁ ଗୋଟିଏ ମହାବଳ ବାଘ ନିଜ ଜୀବନ ବଞ୍ଚାଇବା ଅଭୟାରଣ୍ୟ ମଧ୍ୟରୁ ପଦାକୁ ବାହାରି ଜାତୀୟ ରାଜପଥ ଉପରକୁ ଚାଲି ଆସିଥିଲା। ପରେ ବାଘଟି ଅଦୂରବର୍ତ୍ତୀ ଏକ ପାହାଡ଼ ଆଡ଼େ ଯିବାକୁ ଉଦ୍ୟମ କରିଥିଲା। ହେଲେ, ବନ୍ୟା ଜଳରେ ପହଁରି ପହଁରି ବାଘଟି ଏତେ ଭୋକିଲା ଓ ଦୁର୍ବଳ ହୋଇ ପଡ଼ିଥିଲା ଯେ ଆଉ ପାହାଡ଼ ଆଡ଼େ ଯିବାରେ ସମର୍ଥ ହୋଇପାର ନଥିଲା। ତେବେ, ମହାବଳ ବାଘଟି ଅଭୟାରଣ୍ୟ ମଧ୍ୟରୁ ବାହାରି ଆସି ରାଜରାସ୍ତା ଉପରେ ବୁଲୁଥିବା ଦେଖିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ି ପାଟିତୁଣ୍ଡ କରିଥିଲେ। ଲୋକଙ୍କ ପାଟିତୁଣ୍ଡରେ ବିଚଳିତ ହୋଇପଡ଼ି ବାଘଟି ନିକଟରେ ଥିବା ରଫିକ୍‌ ଇସ୍‌ଲାମ୍‌ ନାମକ ଜନୈକ ବ୍ୟକ୍ତିଙ୍କ କବାଡ଼ି ଗୋଦାମ ମଧ୍ୟକୁ ପଶିଯିବା ସହ ଗୋଦାମ ମଧ୍ୟରେ ରଫିକ୍‌ଙ୍କ ପାଇଁ ପଡ଼ିଥିବା ଖଟ ଉପରକୁ ଚଢ଼ିଯାଇ ଖଟ ଉପରେ ଶୋଇ ପଡ଼ିଥିଲା।

ଘଟଣା ସଂପର୍କରେ ବନ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯିବା ପରେ ସେମାନେ ଆସି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିବା ସହ ମହାବଳ ବାଘଟିକୁ ଟ୍ରାଙ୍କୁଲାଇଜ୍‌ କରି ଧରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର