କାଶ୍ମୀରରେ ପ୍ରବଳ ବନ୍ୟା, ୩ ମୃତ ; ଉଦ୍ଧାର କାର୍ଯ୍ୟ ଲାଗି ସେନା ତୟାର

ଶ୍ରୀନଗର : ୨୦୧୪ ପରେ ଏ ବର୍ଷ ପୁଣି ଥରେ କାଶ୍ମୀରରେ ପ୍ରଳୟଙ୍କରୀ ବନ୍ୟା ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଗତ ଦୁଇଦିନରେ ଝେଲମ ନଦୀରେ ବନ୍ୟା ପାଣି ଆସିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଉପତ୍ୟାକାର ସମସ୍ତ ସ୍କୁଲ, କଲେଜକୁ ବନ୍ଦ ଘୋଷଣା କରିଦିଆଯାଇଛି । ଅନ୍ୟପକ୍ଷରେ ପ୍ରବଳବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା ରହିଥିବାରୁ ଗତ କାଲି ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ପାଗରେ ଉନ୍ନତି ଆସିଲେ ପୁଣି ଥରେ ଯାତ୍ରା ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ କାଲି କେବଳ ଶ୍ରୀନଗରରେ ପ୍ରବଳ ବର୍ଷା ହୋଇଥିଲା । ଏହା ଯୋଗୁଁ ଝେଲମ ନଦୀକୂଳ ସଂଗମଠାରେ ଝେଲମ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୨୧ ଫୁଟ ହୋଇଥିବାବେଳେ ପାଣି ୨୧.୩ ଫୁଟ ଉଚ୍ଚତାରେ ପ୍ରବାହିତ ହେଉଛି । ଜାମ୍ମୁରେ ପ୍ରବଳ ବର୍ଷା ଯୋଗୁଁ ୩ ଜଣ ମୃତ୍ୟୁବରଣ କରିଛନ୍ତି । ତାଓ୍ଵି ନଦୀରେ ବନ୍ୟା ଆସିବା ଫଳରେ ସେଥିରେ ୬ ଜଣ ବୁଡିଯାଉଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଛି ।

ସ୍ଥିତି ପୁଣି ୨୦୧୪ ପରି ସଂଗୀନ ହେବାକୁ ଯାଉଛି ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ୨୦୧୪ ସେପ୍ଟେମ୍ବରରେ କାଶ୍ମୀରର ଝେଲମ ନଦୀରେ ପ୍ରବଳ ବନ୍ୟା ଆସିବାରୁ ପ୍ରାୟ ୩୦୦ ଲୋକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୨.୫ ଲକ୍ଷ ଘର ଭାଙ୍ଗିଯାଇଥିଲା । ଭାରତୀୟ ସେନା ସ୍ଥିତିକୁ ସମ୍ଭାଳିବା ସହ ଲୋକମାନଙ୍କୁ ଉଦ୍ଧାର କରିଥିଲା । ସେସମୟରେ ସେନା ବିଛିନ୍ନତାବାଦୀ ନେତାମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ତେବେ ଏହି ବନ୍ୟା ଯୋଗୁଁ ଘାଟିରେ ପଥର ମାଡ ସାମୟିକ ଭାବେ କମିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର