ଭିଏତନାମରେ ବନ୍ୟା ବିତ୍ପାତ: ୩୭ ମୃତ, ୪୦ ନିଖୋଜ

ହନୋଇ : ଭିଏତନାମରେ ବନ୍ୟା ଉତ୍କଟ ରୂପ ନେଇଛି। ବନ୍ୟା ହେତୁ ୩୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ନିଖୋଜ ଅଛନ୍ତି। ଲଘୁଚାପ ହେତୁ ଭିଏତନାମରେ ଲଗାଣ ବର୍ଷା ଦ୍ୱାରା ବନ୍ୟା ଏବଂ ଭୁସ୍ଖଳନ ହୋଇ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ବିପର୍ଯ୍ୟୟ ହେତୁ ୨୧ ଜଣ ଆହତ ହାଇଛନ୍ତି ଏବଂ ୬ଟି କେନ୍ଦ୍ରିୟ ଓ ଉତ୍ତରାଞ୍ଚଳରେ ୧,୦୦୦ରୁ ଊର୍ଦ୍ଧ୍ୱ ଗୃହ କ୍ଷତିଗ୍ରସ୍ତ ହୋଇଥିବାବେଳେ ୧୬,୭୪୦ ଗୃହ ଜଳମଗ୍ନ ରହିଛି ବୋଲି ଭିଏତନାମ ବିପର୍ଯ୍ୟୟ ପରିଚାଳନା ପ୍ରଶାସନ ସୂତ୍ରରୁ ପ୍ରକାଶ। ହୋୟା ବିନହ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୧ ଜଣଙ୍କ ପତ୍ତା ମିଳୁନି। ଏହି ଅଞ୍ଚଳରେ ୪ଟି ପରିବାରରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ନିଖୋଜ ଅଛନ୍ତି। ସମସ୍ତେ ଶୋଇଥିବା ଅବସ୍ଥାରେ ଭୁସ୍ଖଳନ ହେବାଦ୍ୱାରା ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ବଜାୟ ରଖିଛନ୍ତି। ଗତ ମଙ୍ଗଳବାର ଦିନ କେନ୍ଦ୍ରିୟ ଭିଏତନାମରେ ଲଘୁଚାପ ହୋଇ ପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର ଏବଂ କେନ୍ଦ୍ରିୟ ଅଞ୍ଚଳରେ ମଧ୍ୟ ଆଗକୁ ଆହୁରି ବର୍ଷିବ ବୋଲି ପାଣିପାଗ ସୁତ୍ରରୁ ପ୍ରକାଶ। ଚଳିତ ବର୍ଷ ନୁହେଁ ଭିଏତନାମରେ ପ୍ରତିବର୍ଷ ବର୍ଷା ଏବଂ ବାତ୍ୟା ହୋଇ ଶହ ଶହ ଲୋକଙ୍କର ମୃତ୍ୟୁ ହେଉଛି।

ସମ୍ବନ୍ଧିତ ଖବର