ହ୍ୟାଣ୍ଡ୍‌ବ୍ୟାଗ୍‌ରୁ ଓ୍ଵାଲେଟ୍‌ ଓ ମୋବାଇଲ୍‌ ଆଦି ବାହାର କରିବେ ବିମାନଯାତ୍ରୀ

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଅଲଗା ଯାଞ୍ଚ କରାଇବା ପାଇଁ ବିମାନଯାତ୍ରୀମାନେ ଏବେ ସେମାନଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ରୁ ଓ୍ଵାଲେଟ୍‌, ମୋବାଇଲ୍‌ ଫୋନ୍‌, ଚାର୍ଜର୍‌ ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍‌ ଜିନିଷ ବାହାର କରିବାକୁ ପଡ଼ିବ। ଏ ପର୍ଯ୍ୟନ୍ତ ଯାଞ୍ଚ ପାଇଁ କେବଳ ଲ୍ୟାପ୍‌ଟପ୍‌ ଓ ଟାବ୍‌ଲେଟ୍‌ ଆଦି ଟ୍ରେ’ରେ ରଖାଯାଉଥିଲା।

ଛୁରି ଅଛି ବୋଲି ଜଣାପଡ଼ିବା ପରେ ଗତ ଅଳ୍ପ କିଛି ଦିନ ହେବ ଅବାଗିଆ ଆକାରର କଲମଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ଗତ କିଛି ସପ୍ତାହ ହେବ ଦିଲ୍ଲୀ ବାହାରକୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏ ସବୁ ନୂଆ ପଦକ୍ଷେପ ନେବାକୁ କୁହା ଯାଇଛି। ଜଣେ ବରିଷ୍ଠ ସିଆଇଏସ୍‌ଏଫ୍‌ ଅଧିକାରୀ କହିଛନ୍ତି କି, ବିମାନ ବନ୍ଦରରେ ସିକ୍ୟୁରିଟି କ୍ଲିଅରାନ୍‌ସ୍‌ ଦ୍ରୁତତର କରିବାକୁ ଏହା ଦେଶବ୍ୟାପୀ ପ୍ରଚଳନ କରାଯାଇଛି।

ସେ କହିଛନ୍ତି: ହ୍ୟାଣ୍ଡ୍‌ବ୍ୟାଗ୍‌ ସ୍କାନିଙ୍ଗ୍‌ କରିବା ବେଳେ ବ୍ୟାଗ୍‌ରେ ଗୁଡ଼ାଏ ଆଳିମାଳିକା ପଶିଥିବା କଥା ଜଣାପଡୁଛି। ଏ ସବୁର ଚିତ୍ର ଆସିଲେ ଯାଞ୍ଚକାରୀ ବ୍ୟକ୍ତିମାନେ ବ୍ୟାଗ୍‌ରୁ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍‌ ଜିନିଷ ଓ ଚାର୍ଜର କାଢ଼ିବାକୁ କହୁଛନ୍ତି। ଯଦି ଭାରୀ ଲାଗୁଛି, କାଳେ ଛୁରି ଥିବ ବିଚାରି କଲମଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି।

ସନ୍ଦେହ ହେଲେ ବ୍ୟାଗ୍‌ ଭିତରୁ ସବୁ ଜିନିଷ କାଢ଼ି ଆମେ ହାତରେ ତାହା ଯାଞ୍ଚ କରୁଛୁ। ଏଥିଯୋଗୁଁ ଯାତ୍ରୀମାନଙ୍କର ଧାଡ଼ି ଲମ୍ବିବା ସହ ଯାଞ୍ଚ କାର୍ଯ୍ୟରେ ବିଳମ୍ବ ଘଟୁଛି।

ସମ୍ବନ୍ଧିତ ଖବର