ଦିଲ୍ଲୀ ଏଆଇଆଇଏଏମ୍‌ଏଏସ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କିଡ୍‌ନି ପ୍ରତିରୋପଣ ସଫଳତାର ସହ ସଂପନ୍ନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି (ସୋମବାର) ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ (ଏଆଇଆଇଏଏମ୍‌ଏଏସ୍‌)ରେ ସଫଳତା ପୂର୍ବକ ବୃକ୍କ (କିଡ୍‌ନି) ପ୍ରତିରୋପଣ ଅସ୍ତ୍ରୋପଚାର ସଂପନ୍ନ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ତଳେ ୬୫ ବର୍ଷ ବୟସ୍କ ଜେଟଲୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତ ପ୍ରାୟ ଏକ ମାସ ଧରି ତାଙ୍କର ଡାଏଲେସିସ୍‌ ଚାଲିଥିଲା। କିଡ୍‌ନି ପ୍ରତିରୋପଣ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଜେଟଲୀ ଗତ ଶନିବାର ଦିନ ଏଆଇଆଇଏଏମ୍‌ଏଏସ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ୮ଟା ସମୟରେ ଏଆଇଆଇଏଏମ୍‌ଏଏସ୍‌ର ବରିଷ୍ଠ ଡାକ୍ତର ଓ ଆପୋଲ ହସ୍ପିଟାଲର ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡକ୍ଟର ସନ୍ଦୀପ ଗୁଲେରିଆଙ୍କୁ ନେଇ ଏକ ଡାକ୍ତର ଦଳ ଜେଟଲୀଙ୍କର ଏହି କିଡନି ପ୍ରତିରୋପଣ ଅସ୍ତ୍ରୋପଚାର କରିଥିଲେ।


କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ପରେ ଏବେ ଜେଟଲୀ ଓ ତାଙ୍କୁ କିଡ୍‌ନି ଦାନ କରିଥିବା ବ୍ୟକ୍ତି ଉଭୟେ ଭଲ ଅଛନ୍ତି ଏବଂ ଦ୍ରୃତ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ଏଆଇଆଇଏଏମ୍‌ଏଏସ୍‌ ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି।

ଜେଟଲୀ ତାଙ୍କ ଅସୁସ୍ଥତା ପାଇଁ ଆସନ୍ତା ସପ୍ତାହରେ ଲଣ୍ଡନ ଠାରେ ହେବାକୁ ଥିବା ଭାରତ- ୟୁକେ ଅର୍ଥନୈତିକ ଓ ଆର୍ଥିକ କଥାବାର୍ତ୍ତା ପାଇଁ ଲଣ୍ଡନ ଗସ୍ତକୁ ବାତିଲ କରିଦେଇଛନ୍ତି।

ସମ୍ବନ୍ଧିତ ଖବର