ଭୋଗ ଖାଇ ୧୨ ମୃତ, ୮୦ ଅସୁସ୍ଥ

ବିଷ ମିଶିଥିବା ସନ୍ଦେହ, କର୍ଣ୍ଣାଟକରେ ଆତଙ୍କ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚାମ୍‌ରାଜନଗର‌ରେ ଆଜି ଏକ ମନ୍ଦିରର ପ୍ରସାଦ ସେବନ ପରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮୦ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଛି। ଅସୁସ୍ଥଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଜରୁରୀ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସାଦ ସେବନ ପରେ ଏଭଳି ସ୍ଥିତି ଉପୁଜିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରାଜ୍ୟ ସରକାରଙ୍କ ପ୍ରଧାନ ସଚିବ ଏକ ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ସୁଲଭାଦି କିଚୁଗୁଟି ମାରାମ୍ମା ମନ୍ଦିର‌ରେ ଏକ ଉତ୍ସବରେ ଏହି ପ୍ରସାଦ ପରିବେଷଣ କରାଯାଇଥିଲା। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ‌ଯେ ପ୍ରସାଦରେ ବିଷ ମିଶିଥିବା ସନ୍ଦେହ କରାଯାଉଛି। ପ୍ରସାଦର କେତେକ ନମୁନା ଅଧିକ ତଦନ୍ତ ପାଇଁ ପରୀକ୍ଷାଗାରକୁ ପଠାଯାଇଛି। ମୃତ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର