ମଲଟିପ୍ଲେକ୍ସ ଭିତରେ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀ ଦର ଏତେ ମହଙ୍ଗା କାହିଁକି? ବିରକ୍ତ ହେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ମଲଟିପ୍ଲେକ୍ସ ଗୁଡ଼ିକରେ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀ ଓ ପାଣି ବୋତଲ ମୂଲ୍ୟ ଅତ୍ୟଧିକ ରହିଛି ବୋଲି ବମ୍ବେ ହାଇକୋର୍ଟ ମତ ଦେଇଛନ୍ତି । ସେଠାରେ ଏସବୁ ସାମଗ୍ରୀ ସ୍ୱାଭାବିକ ଦରରେ ବିକ୍ରି ହେବା ଉଚିତ ବୋଲି କୋର୍ଟ ମତ ଦେଇଛନ୍ତି ।

ମଲଟିପ୍ଲେକ୍ସ ଗୁଡ଼ିକରେ ବାହାର ଖାଦ୍ୟ ନେବାକୁ ଅନୁମତି ଦିଆଯାଉନାହିଁ ଓ ଭିତରେ ମିଳୁଥିବା ଖାଦ୍ୟ ଅସମ୍ଭବ ପ୍ରକାର ମୂଲ୍ୟରେ ମିଲୁଛି । ଏହି ଅଭିଯୋଗ କରି ଜୈନେନ୍ଦ୍ର ବକ୍ସି ନାମକ ବ୍ୟକ୍ତି ବମ୍ବେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଏହାର ବିଚାର କରି ଜଷ୍ଟିସ ଏସଏମ କେମକର, ଏମଏସ କାର୍ଣ୍ଣିକଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ମତ ରଖିଛନ୍ତି ।

ପିଟିସନକାରୀଙ୍କ ଓକିଲ ଆଦିତ୍ୟ ପ୍ରତାପ ସିଂ କହିଥିଲେ ଯେ ମଲଟିପ୍ଲେକ୍ସ ଗୁଡିକ ଭିତରକୁ ବ୍ୟକ୍ତିଗତ ଖାଦ୍ୟ ବାରଣକରିବାକୁ ଭାରତରେ ସେପରି କୌଣସି ଆଇନ ନାହିଁ ।

ଓକିଲଙ୍କ ଏହି ଯୁକ୍ତିରେ କୋର୍ଟ ଏକମତ ହୋଇ କହିଥିଲେ ଯେ ମଲଟିପ୍ଲେକ୍ସ ଗୁଡ଼ିକ ଭିତରେ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀ ଓ ପାଣିବୋତଲ ଅତ୍ୟଧିକ ଦରରେ ମିଳୁଥିବା ଆମେ ନିଜେ ମଧ୍ୟ ଅନୁଭବ କରିଛୁ । ଥିଏଟର ଭିତରେ ସ୍ୱାଭାବିକ ଦରରେ ଏସବୁ ସାମଗ୍ରୀ ବିକ୍ରି ହେବା ଆବଶ୍ୟକ । ଯଦି ମଲଟିପ୍ଲେକ୍ସ ମାଲିକମାନେ ବାହାର ଖାଦ୍ୟ ନେବାକୁ ବାରଣ କରୁଛନ୍ତି ତେବେ ଭିତରେ ମଧ୍ୟ କୌଣସି ଖାଦ୍ୟସାମଗ୍ରୀ ବିକ୍ରି ହେବା କଥା ନୁହେଁ । ଅନ୍ୟପକ୍ଷରେ ମାମଲାରେ ପକ୍ଷଭୁକ୍ତ ଥିବା ମହାରାଷ୍ଟ୍ର ସରକାର କହିଛନ୍ତି ଯେ ଆସନ୍ତା ୬ ସପ୍ତାହ ମଧ୍ୟରେ ଏ ସଂପର୍କରେ ଏକ ନୀତି ନିର୍ଦ୍ଧାରଣ କରିବେ । ମାମଲାର ପରବର୍ତ୍ତି ଶୁଣାଣୀ ଜୁନ ୧୨ ତାରିଖରେ ହେବ ।

ସମ୍ବନ୍ଧିତ ଖବର