ବିଦେଶୀ ନେତାଙ୍କୁ ଡାକିବନି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ଆସନ୍ତା ୧୧ ତାରିଖରେ ଶପଥ ନେବେ। କିନ୍ତୁ ଏହି ଶପଥ ଗ୍ରହଣ ଉତ୍ସବକୁ ଏତେ ଜାକଜମକରେ ପାଳନ କରାଯିବ ନାହିଁ। ଏକ ନିରାଡମ୍ବର ଉତ୍ସବରେ ଶପଥ ନେବା ଲାଗି ନିଷ୍ପତ୍ତି ନେଇଛନ୍ତି ଇମ୍ରାନ୍‌। ସେହିଭଳି ଏହି ଉତ୍ସବକୁ କୌଣସି ବିଦେଶୀ ରାଷ୍ଟ୍ରର ନେତା କିମ୍ବା ସେଲିବ୍ରିଟିମାନଙ୍କୁ ବି ନିମନ୍ତ୍ରଣ କରାଯିବ ନାହିଁ। ପାକିସ୍ତାନର ଏହି ଭାବୀ ପ୍ରଧାନମନ୍ତ୍ରୀଙ୍କ ବନ୍ଧୁମାନେ କେବଳ ଉତ୍ସବରେ ଯୋଗଦେବେ। ସେମାନଙ୍କୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନ୍‌ଙ୍କ ଦଳ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ହେଁ ସରକାର ଗଢ଼ିବା ଲାଗି ଆଉ ୨୨ଟି ଆସନର ଆବଶ୍ୟକ ପଡୁଛି। ଏଥିପାଇଁ ଦଳ କ୍ଷୁଦ୍ର ଏବଂ ସ୍ୱାଧୀନ ଦଳଗୁଡ଼ିକ ସହିତ କଥାବାର୍ତ୍ତା ଚଳାଇଛି। ଅଧିକାଂଶ ଦଳ ଏଥିପାଇଁ ସବୁଜ ସଂକେତ ଦେଇଥିବା ଜଣାପଡ଼ିଛି। ତେଣୁ ଆସନ୍ତା ୧୧ ତାରିଖରେ ହିଁ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ୪ ଜଣ ଭାରତୀୟଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଆଜି ପାକିସ୍ତାନ ଏହାକୁ ଖଣ୍ଡନ କରିବା ଘଟଣା ବିସ୍ମୟ ସୃଷ୍ଟି କରିଛି। ପୂର୍ବତନ କ୍ରିକେଟର୍‌ କପିଳ ଦେବ, ସୁନୀଲ ଗାଭାସ୍କର, ନବ୍‌ଜୋତ୍‌ ସିଂହ ସିଦ୍ଧୁ ଏବଂ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କୁ ପାକିସ୍ତାନ ନିମନ୍ତ୍ରଣ କରିଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହାକୁ ନେଇ ସସ୍‌୍‌ପେନ୍‌୍‌ସ ଜାରି ରହିଛି। ଆଜି ଅପରାହ୍ନରେ ପିଟିଆଇ ପକ୍ଷରୁ କୁହାଯାଇଛି ଯେ ସିଦ୍ଧୁ କିମ୍ବା ଭାରତୀୟଙ୍କୁ ଆମେ ନିମନ୍ତ୍ରଣ କରିନାହୁଁ। ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‌ ଯୋଗେ ଇମ୍ରାନ୍‌ଙ୍କୁ ଶୁଭେଚ୍ଛା ଜଣାଇବା ପରେ ଶପଥ ଗ୍ରହଣ ଉତ୍ସବରେ ମୋଦୀ ଯୋଗଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ଇମ୍ରାନ୍‌ଙ୍କୁ ମହମ୍ମଦ ଘୋରି କହିଲେ ସ୍ୱାମୀ
‘ଶପଥଗ୍ରହଣ ଉତ୍ସବକୁ ଦେଶଦ୍ରୋହୀ ଯିବେ’
ନୂଆଦିଲ୍ଲୀ ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ଆଜି ବିଜେପି ନେତା ସୁବ୍ରମଣ୍ୟନ୍‌ ସ୍ୱାମୀ ଆକ୍ରମଣାତ୍ମକ ଟିପ୍ପଣୀ ଦେଇଛନ୍ତି। କହିଛନ୍ତି, ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯେଉଁ ଭାରତୀୟ ଯୋଗଦେବେ ସେମାନଙ୍କୁ ଦେଶଦ୍ରୋହୀ କୁହାଯିବ। ସେ ଆହୁରି କହିଛନ୍ତି, ନବଜୋତ୍‌ ସିଂହ ସିଦ୍ଧୁ କେବଳ ଜଣେ କ୍ରିକେଟର ନୁହନ୍ତି, ସେ ଏହି ଦେଶର ଜଣେ ସାଂସଦ। ସେ ଦୃଷ୍ଟିରୁ ଅନ୍ତତଃ ସେ ଇମ୍ରାନ୍‌ଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ଉଚିତ। ଆଉ ଯଦି ସେ ଏଭଳି ନ କରି ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦିଅନ୍ତି, ତେବେ ତାଙ୍କୁ ବି ଦେଶଦ୍ରୋହୀ ବୋଲି କୁହାଯିବ। ସୁବ୍ରମଣ୍ୟମ୍‌ ଇମ୍ରାନ୍‌ଙ୍କୁ ମଧ୍ୟ ସମାଲୋଚନା କରିବା ସହିତ ତାଙ୍କୁ ମହମ୍ମଦ ଘୋରିଙ୍କ ସହିତ ତୁଳନା କରିଛନ୍ତି।

ସମ୍ବନ୍ଧିତ ଖବର