ଋଣ ପାଇଁ କୃଷକ ପତ୍ନୀଙ୍କ ସହିତ ଶାରୀରିକ ସଂପର୍କ:ମାମଲା ରୁଜୁ ପରେ ବ୍ୟାଙ୍କ ମ୍ୟାନେଜର୍‌ ଫେରାର୍‌

ମୁମ୍ବାଇ: ମହାରାଷ୍ଟ୍ରର ବୁଲଦାନା ଜିଲ୍ଲା ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମ୍ୟାନେଜର ରାଜେଶ ହିବେଶ ଜଣେ ମହିଳାଙ୍କୁ ଋଣ ଦେବା ପାଇଁ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ସର୍ତ୍ତ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମହିଳା ଜଣଙ୍କ ନିଜ କୃଷକ ସ୍ୱାମୀଙ୍କ ଫସଲ ଋଣ ସଂପର୍କରେ ତଥ୍ୟ ହାସଲ ପାଇଁ ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରେ ଋଣ ମଂଜୁର କରିବା ପାଇଁ ବ୍ୟାଙ୍କ ମ୍ୟାନେଜର ମହିଳାଙ୍କୁ ଡାକି ଅଜବ ସର୍ତ୍ତ ରଖିଥିଲେ। ମହିଳା ଜଣଙ୍କ ଏ ବାବଦରେ ପୁଲିସରେ ଏତଲା ଦେଇଛନ୍ତି।

ତେବେ ପୁଲିସ ତଦନ୍ତ ଆରମ୍ଭ ହେବାମାତ୍ରେ ବ୍ୟାଙ୍କ ମ୍ୟାନେଜର ଫେରାର ହୋଇଯାଇଥିବା ଜଣାପଡ଼ିଛି।
ମହିଳାଙ୍କ ସ୍ୱାମୀ ଦୀର୍ଘ ଦିନ ତଳୁ ଫସଲ ଋଣ ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ, କିନ୍ତୁ ବିଭିନ୍ନ ଆଳ ଦେଖାଇ ତାଙ୍କ ଋଣ ମଂଜୁର ହେଉନଥିଲା। ଋଣ କାହିଁକି ମଂଜୁର ହେଉନାହିଁ ବୋଲି ପତ୍ନୀ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କୁ ଦେଖା କରିବା ପରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ କହିଥିଲେ ଯେ ‘ତୁମ ସ୍ୱାମୀଙ୍କୁ ନିଶ୍ଚିତ ଋଣ ମିଳିବ, କିନ୍ତୁ ଏଥିପାଇଁ ମୋ ସହିତ ତୁମେ ଶାରୀରିକ ସଂପର୍କ ରଖିବାକୁ ହେବ।’ ମ୍ୟାନେଜରଙ୍କ ଏଭଳି ଆଚରଣ ଦେଖି ମହିଳା ଜଣକ ତାଙ୍କୁ ତାଗିଦ କରିଥିଲେ। ତେବେ କିଛି ସମୟ ପରେ ତାଙ୍କୁ ପୁଣି ମ୍ୟାନେଜର ଜଣେ ପିଅନ ଦ୍ୱାରା ଡକାଇ ତାଙ୍କ ସର୍ତ୍ତ ଦୋହରାଇବାରୁ ମହିଳା ଜଣକ ଏହାକୁ ନିଜ ମୋବାଇଲରେ ରେକର୍ଡିଂ କରିନେଇଥିଲେ। ଏହାପରେ ନିକଟସ୍ଥ ପୁଲିସ ଷ୍ଟେସନରେ ପହଞ୍ଚି ପ୍ରମାଣ ଉପସ୍ଥାପନ ସହ ଏତଲା ଦାଏର କରିଥିଲେ।

ସମ୍ବନ୍ଧିତ ଖବର