କହ୍ନେୟା କୁମାର ଓ ପ୍ରଶାନ୍ତ କିଶୋର ଆଗାମୀ ଦଶକରେ ଭାରତୀୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେବେ: ଫୋର୍ବସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ  ପତ୍ରିକା ଫୋର୍ବସ କହ୍ନେୟା କୁମାର ଓ ପ୍ରଶାନ୍ତ କିଶୋରଙ୍କୁ ବିଶ୍ୱର ଟପ-୨୦ ନିର୍ଣ୍ଣାୟକ ଲୋକଙ୍କ ତାଲିକାରେ ସ୍ଥାନ ଦେଇଛି | କହ୍ନେୟାଙ୍କୁ ୧୨ତମ ସ୍ଥାନ ମିଳିଥିବା ବେଳେ ପ୍ରଶାନ୍ତ କିଶୋରଙ୍କୁ ୧୬ତମ ସ୍ଥାନ ମିଳିଛି | ଫୋର୍ବସ ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟା କୁମାର ଓ ଜେଡିୟୁର ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଆଗାମୀ ଦଶକର ନିର୍ଣ୍ଣାୟକ ଚେହେରା ଭାବେ ଅଭିହିତ କରିଛି | ଫୋର୍ବସ ପକ୍ଷରୁ କୁହାଯାଇଛି ଯେ ଦୁଇ ଜଣ ଯୁବ ନେତା ଆଗାମୀ ଦଶକ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରିପାରନ୍ତି |

ତାଲିକାର ପ୍ରଥମ ସ୍ଥାନରେ ଆମେରିକାରେ ରହୁଥିବା ଭାରତୀୟ କମେଡିଆନ ହାସନ ମିନହାଜ ଥିବା ବେଳେ ୨୦ ନମ୍ବର ସ୍ଥାନରେ କେନିଆର ମାରାଥନ୍ ଧାବକ ଏଲିଓଡ଼ କିପଚାଗ ସ୍ଥାନ ପାଇଛନ୍ତି | ତାଲିକାରେ ୫ ଜଣ ଭାରତୀୟଙ୍କ ନାମ ରହିଛି | ଫୋର୍ବସ ପତ୍ରିକା ଲେଖିଛି ଯେ କହ୍ନେୟା କୁମାର ଭବିଷ୍ୟତରେ ଭାରତୀୟ ରାଜନୀତିରେ ଶକ୍ତିଶାଳୀ ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି |

ସେହିପରି ୨୦୧୧ ମସିହାରୁ ରାଜନୈତିକ ରଣନୀତି କରୁଥିବା ପ୍ରଶାନ୍ତ କିଶୋର ୨୦୧୪ ଓ ୨୦୧୯ ମସିହାରେ ନରେନ୍ଦ୍ର ମୋଦୀଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ପ୍ରଶାନ୍ତ ଓ କହ୍ନେୟାଙ୍କ ବ୍ୟତୀତ ଆର୍ସେଲର ମିତ୍ତଲ ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦିତ୍ୟ ମିତ୍ତଲ, ଗୋଦରେଜ୍ ପରିବାର, ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୋଟାଲା, ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମଇତ୍ର ଓ ଚେଫ ଗାରିମା ଆରୋଡାଙ୍କ ନାମକୁ ସାମିଲ କରିଛି | ଏହି ତାଲିକାରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ, ସାଉଦି ଆରବର ଯୁବରାଜ ମୋହମ୍ମଦ ବିନ ସଲମାନ, ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିନ୍ଦା ଅର୍ଡନ, ପରିବେଶ କର୍ମୀ ଗ୍ରେଟା ଥନବର୍ଗ ପ୍ରମୁଖଙ୍କ ନାମକୁ ସାମିଲ କରିଛି |

ସମ୍ବନ୍ଧିତ ଖବର