କୋଏମ୍ବାଟୁର୍‌ କଲେଜରେ ମକ୍‌ ଡ୍ରିଲ୍‌ ବେଳେ ଦି’ତାଲାରୁ ଡେଇଁ ଛାତ୍ରୀ ମୃତ

ଚେନ୍ନାଇ: ଗୁରୁବାର ସନ୍ଧ୍ୟାରେ କୋଏମ୍ବାଟୁର୍‌ର ଏକ କଲେଜ୍‌ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଡିଜାଷ୍ଟର୍‌ ପ୍ରିପାର୍ଡନେସ୍‌ ମକ୍‌ ଡ୍ରିଲ୍‌ କରାଉଥିବା ବେଳେ ଦି’ମହଲା କୋଠାରୁ ପଡ଼ି ଜଣେ ୧୯ ବର୍ଷୀୟ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା କଥା ପୁଲିସ କହିଛି।

ଘଟଣାର ଏକ ଭିଡିଓରେ ଦେଖାଯାଉଛି: ଏନ୍‌ ଲୋଗେଶ୍ୱରୀ ନାମ୍ନୀ ସେ ଛାତ୍ରୀ ତାଙ୍କ କଲେଜ କୋଠାର ଦ୍ୱିତୀୟ ମହଲାର ଧାରରେ ବସିଛନ୍ତି। ତାଙ୍କୁ ଡିଆଇଁବାରେ ସହାୟତା କରୁଛନ୍ତି ‘ଏନ୍‌ଡିଏମ୍‌ଏ’ର ତାଲିମ୍‌ ଦାତା ଟିଆର୍‌ ଅରୁମୁଘମ। ଛାତ୍ରୀ ଜଣକ ଟିକେ କୁଣ୍ଠିତ ଥିବା ପରି ମନେ ହେଉଛନ୍ତି। ତାଲିମଦାତା ତାଙ୍କୁ ଠେଲି ଦେଉଛନ୍ତି।

ତଳେ ସେଫ୍‌ଟି ନେଟ୍‌ ଧରି ଲୋକେ ଠିଆ ହୋଇଥିଲେ ବି ଛାତ୍ରୀଜଣକ ପ୍ରଥମ ତାଲା ଛାତର ସନ୍‌ସେଡ୍‌ରେ ପିଟି ହେବା ପରେ ନିଶ୍ଚଳ ହୋଇ ତଳେ ପଡ଼ି ଯାଇଥିଲେ।

ଦେଖଣାହାରିମାନେ କହନ୍ତି: ଛତ୍ରୀଜଣକ ଡେଇଁବାକୁ ଚାହୁଁ ନ ଥିଲେ। ତାଲିମ୍‌ଦାତା ତାଙ୍କୁ ଠେଲି ଦେବାରୁ ସେ ତଳକୁ ଖସି ପଡ଼ିଲେ। ନିକଟବର୍ତ୍ତୀ ଡାକ୍ତରଖାନାରେ ପହଞ୍ଚାଇବା ପରେ ସେ ମୃତା ବୋଲି ଘୋଷଣା କରାଯାଇଥିଲା।

କୋଏମ୍ବାଟୁର୍‌ସ୍ଥିତ କୋବାଇ କାଲାଇମଙ୍ଗଲ କଲେଜ ଅଫ୍‌ ଆର୍ଟସ୍‌ ଆଣ୍ଡ୍‌ ସାଇନ୍‌ସ୍‌ରେ ବିବିଏ କୋର୍ସର ଦ୍ୱିତୀୟ ବାର୍ଷିକ ଛାତ୍ରୀ ଥିଲେ ଲୋଗେଶ୍ୱରୀ। ସେଠାରେ ୨୦ ଜଣ ପିଲାଙ୍କୁ ତାଲିମ ଦିଆ ଯାଉଥିଲା।

ତାଲିମ ଦାତା ଟିଆର୍‌ ଅରୁମୁଘମ୍‌ଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଉଛି।

ସମ୍ବନ୍ଧିତ ଖବର