୫ ବର୍ଷ ଜେଲଦଣ୍ଡ ଭୋଗିପାରନ୍ତି ତାବଲିଗି ଜମାତର ୯୬୦ ବିଦେଶୀ ସଦସ୍ୟ

ନୂଆଦିଲ୍ଲୀ : ଭାରତକୁ ପର୍ଯ୍ୟଟନ ଭିସାରେ ଆସି ଧର୍ମପ୍ରଚାର କାର୍ଯରେ ଲିପ୍ତ ଥିବା ଅଭିଯୋଗରେ ପ୍ରାୟ ୯୬୦ ତାବଲିଗି ଜମାତ ସଦସ୍ୟମାନଙ୍କ ବିରୁଦ୍ଧରେ ଆଇନଗତ ମାମଲା ଚାଲିବ । ସେମାନଙ୍କୁ ୫ ବର୍ଷ ଜେଲ ଯିବାକୁ ପଡ଼ିପାରେ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୬୭ଟି ଦେଶରୁ ଆସିଥିବା ଏହି ବିଦେଶୀମାନେ ପର୍ଯ୍ୟଟନ ଭିସାରେ ଭାରତକୁ ଆସିଥିଲେ ମଧ୍ୟ ଧର୍ମ ପ୍ରଚାର କାମରେ ଲିପ୍ତ ଥିଲେ । ଏହା ଭାରତୀୟ ଭିସା ଆଇନ ଓ ଭାରତୀୟ ବିଦେଶୀ ୧୯୪୬ର ଧାରା ୧୪ର ଉଲ୍ଲଙ୍ଘନ । ଏଥିପାଇଁ ସେମାନଙ୍କୁ ୫ ବର୍ଷ ଜେଲ ଦଣ୍ଡ ଦିଆଯାଇପାରିବ ।

ଭାରତୀୟ ଭିସା ଆଇନ ଅନୁସାରେ ଭାରତକୁ ପର୍ଯ୍ୟଟନ ଭିସାରେ ଆସୁଥିବା ଲୋକମାନେ ବିଭିନ୍ନ ସ୍ଥାନ ବୁଲିପାରିବେ, ବନ୍ଧୁପରିଜନଙ୍କୁ ଭେଟିପାରିବେ, ସ୍ବଳ୍ପ ମିଆଦୀ ଚିକିତ୍ସା କରିପାରିବେ, ଯୋଗ ଓ ଆୟୁର୍ବେଦ ଚିକିତ୍ସା କରିପାରିବେ । କିନ୍ତୁ ସେମାନେ ଧର୍ମପ୍ରଚାର, ସରକାର ବିରୋଧୀ ଆନ୍ଦୋଳନ ଆଦି କାମ କରିପାରିବେ ନାହିଁ ।

ଏହି ବିଦେଶୀମାନଙ୍କ ଜେରା ପରେ ପୁଲିସ ଜାଣିବାକୁ ପାଇଛି ଯେ ସେମାନେ ମାର୍ଚ୍ଚ ୨୦ ପରେ ମଧ୍ୟ ମର୍କାଜରେ ରହିଥିଲେ । ମୌଲାନା ସାଦଙ୍କ ସମ୍ମତିରେ ସେମାନେ ମର୍କାଜରେ ରହିଥିବା ସେମାନେ ସ୍ୱୀକାର କରିଛନ୍ତି ବୋଲି ପୁଲିସ ସୁତ୍ରରୁ ଜଣାପଡ଼ିଛି । ଗତକାଲି ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ୍‌ ମର୍କାଜ ପ୍ରମୁଖ ମୌଲାନା ସାଦଙ୍କ ୫ ସହଯୋଗୀଙ୍କ ପାସପୋର୍ଟକୁ ରଦ୍ଦ କରିଥିଲା । ଏହି ୫ ଜଣ ହେଉଛନ୍ତି ମୁଫତି ସେହଜାଦ, ଜିସାନ,ମୁରସାଲିନ ସୈଫି,ମହମ୍ମଦ ସଲମାନ ଓ ୟୁନୁସ ।

ସମ୍ବନ୍ଧିତ ଖବର