ଜାଲିଆନଓ୍ଵାଲା ବାଗ୍‌ ପାଇଁ ବ୍ରିଟିସ୍‌ ସରକାର ଆନୁଷ୍ଠାନିକ ଭାବେ କ୍ଷମା ଯାଚନା କରନ୍ତୁ: ଲଣ୍ଡନ ମେୟର

ଅମୃତସର: ୧୯୧୯ରେ ବ୍ରିଟିସ୍‌ ଇଣ୍ଡିଆନ୍‌ ଆର୍ମିର ସୈନିକମାନେ ଜାଲିଆନ୍‌ଓ୍ଵାଲା ବାଗ୍‌ ଠାରେ କରିଥିବା ନରସଂହାର ପାଇଁ ଇଂଲଣ୍ଡ ସରକାର ଆନୁଷ୍ଠାନିକ ଭାବେ କ୍ଷମ ଯାଚନା କରନ୍ତୁ। ବୁଧବାର ଦିନ ଏ କଥା କହିଛନ୍ତି ଲଣ୍ଡନର ପ୍ରଥମ ଏସୀୟ ବଂଶୋଦ୍ଭବ ମେୟର୍‌ ସଦିକ୍‌ ଖାଁ।

ଛଅ ଦିନିଆ ଭାରତ ଏବଂ ପାକିସ୍ତାନ ମିସନ୍‌ରେ ଆସି ଅମୃତସରରେ ପହଞ୍ଚିଥିବା ଖାଁ କହିଥିଲେ କି ଏ ନରସଂହାର ଭାରତୀୟ ଇତିହାସରେ ସବୁଠୁ ଭୟାବହ କାଣ୍ଡ। ନରସଂହାରକୁ ଏବେ ଶହେ ବର୍ଷ ପୂରିବାକୁ ଯାଉଥିବାରୁ ଇଂଲଣ୍ଡ ସରକାର ଏଥିପାଇଁ କ୍ଷମା ଯାଚନା କରିବା ଉଚିତ ବୋଲି ସେ କହିଛନ୍ତି। ବାସ୍ତବରେ ଏଠାରେ କ’ଣ ଘଟିଥିଲା ତାହା ଜଣାଇ ଅମୃତସରବାସୀଙ୍କୁ ଏବଂ ଭାରତକୁ ବିଧିବଦ୍ଧ ଭାବେ କ୍ଷମା ଯାଚନା କରାଯିବା କଥା। ଜାଲିଆନଓ୍ଵାଲା ବାଗ୍‌ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଖାଁ କହିଛନ୍ତି।

ଶହ ଶହ ଲୋକ ନିହତ ହୋଇଥିବା ଏହି ନରସଂହାର ପାଇଁ ଇଂଲଣ୍ଡ କେବେ ଔପଚାରିକ ଭାବେ କ୍ଷମା ଯାଚନା କରି ନାହିଁ। ୨୦୧୩ ମସିହା ଫେବ୍ରୁଆରି ମାସରେ ତତ୍‌କାଳୀନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମେରନ୍‌ ଏ ନରସଂହାରକୁ ଅତି ଲଜ୍ଜାକର ଘଟଣା ବୋଲି କହିଥିଲେ। ସେତେବେଳେ ସେ ଅମୃତସର ଗସ୍ତରେ ଥିଲେ ମଧ୍ୟ କ୍ଷମା ଯାଚନା କରି ନ ଥିଲେ।

ପାକିସ୍ତାନୀ ବଂଶୋଦ୍ଭବ ଖାଁ ସ୍ପଷ୍ଟ କରିଛନ୍ତି ଯେ ଅନେକ ଦଶନ୍ଧି ତଳୁ ବ୍ରିଟିସ୍‌ ସରକାର ଆନୁଷ୍ଠାନିକ ଭାବେ କ୍ଷମା ମାଗିବା କଥା।

ସମ୍ବନ୍ଧିତ ଖବର