ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ କରିବା ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ସିବିଆଇ ପଚରାଉଚରା ଆରମ୍ଭ କରିଥିବା ଜଣାପଡ଼ିଛି। ଏଥିସହ ଚିଦାମ୍ବରମ୍ ସିବିଆଇ ମୁଖ୍ୟାଳୟ ପରିସରରେ ଥିବା ହାଜତରେ ରାତି ବିତାଇବେ ବୋଲି ସୂଚନା ମିଳିଛି। ହାଜତକୁ ନେବା ପୂର୍ବରୁ ଚିଦାମ୍ବରମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଛି। ସେପଟେସିବିଆଇ ମୁଖ୍ୟାଳୟ ଚାରିପଟେ ସୁରକ୍ଷା କଡ଼ାକଡି କରାଯାଇଛି। ଆସନ୍ତାକାଲି ତାଙ୍କୁ ଅଦାଲତରେ ହାଜର କରାଯିବ।
CBI Sources: Medical tests of P. Chidambaram conducted inside Central Bureau of Investigation (CBI) headquarters. (File pic) pic.twitter.com/vhJa8Cnti0
— ANI (@ANI) August 21, 2019
ଆଜି ରାତିରେ ବହୁ ସମୟଧରି ପଚାରାଉଚରା କରିବା ପରେ ପି. ଚିଦାମ୍ବରମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଥିଲା । ଗିରଫଦାରୀ ପରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ କହିଛନ୍ତି, କାହାକୁ ଖୁସି କରିବା ପାଇଁ ସିବିଆଇ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପି. ଚିଦାମ୍ବରମକୁ ଗିରଫ କରାଯାଇଛି। ଆମେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି କାର୍ତ୍ତି ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ଏକ ନାଟକୀୟ ଘଟଣାକ୍ରମରେ ଗତକାଲିଠାରୁ ନିଖୋଜ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ହଠାତ ବୁଧବାର ସଂଧ୍ୟାରେ କଂଗ୍ରେସ (ଏଆଇସିସି) ମୁଖ୍ୟାଳୟରେ ପହଞ୍ଚିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ସେ କୌଣସି ବେଆଇନ କାର୍ଯ୍ୟ କରିନାହାନ୍ତି । ସିବିଆଇ ଏଫଆଇର ଓ ଚାର୍ଜସିଟରେ ତାଙ୍କ ନାଁ ମଧ୍ୟ ନାହିଁ । ହାଇକୋର୍ଟ ଗତ ୧୩-୧୫ ମାସ ଧରି ତାଙ୍କୁ ସୁରକ୍ଷା ଦେଇଥିଲେ । ଏବେ ପ୍ରାୟ ୭ ମାସ ପରେ ତାଙ୍କର ଅଗ୍ରୀମ ଜାମିନ ଆବେଦନକୁ ବାତିଲ କରିଦେଇଛନ୍ତି ।
ଫେରାର ଥିବା ଅଭିଯୋଗକୁ ସେ ଖଣ୍ଡନ କରି ସେ କହିଥିଲେ, ସେ ଆଇନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ, ଅଭିଷେକ ମନୁସିଂଘଭୀ, ସଲମାନ ଖୁର୍ସିଦ ପ୍ରମୁଖ ଉପସ୍ଥିତ ଥିଲେ ।