ଆଇପିଏଲ୍‌ ବେଟିଂ ପର୍ଦ୍ଦାଫାସ କରିଥିବା ପୁଲିସ୍ ଅଧିକାରୀ ହିମାଂଶୁ ରାୟ ନିଜ ରିଭଲଭରରୁ ଗୁଳି ଚଳାଇ କଲେ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ଅତିରିକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ (ଏଡିଜି) ତଥା ମହାରାଷ୍ଟ୍ର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌)ର ପୂର୍ବତନ ମୁଖ୍ୟ ହିମାଂଶୁ ରାୟ ଆଜି (ଶୁକ୍ରବାର) ଅପରାହ୍ଣରେ ଆତ୍ମହତ୍ୟା କରିଛନ୍ତି। ନିଜ ବାସଭବନରେ ଥିବା ବେଳେ ସେ ତାଙ୍କ ନିଜ ସର୍ଭିସ୍‌ ରିଭଲଭରରୁ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ, ତାଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ସୁଦ୍ଧା ସେ ଦୂରାରୋଗ୍ୟ କର୍କଟ ରୋଗରେ ପୀଡ଼ିତ ଥିବା ଜାଣିବାକୁ ମିଳିଛି।


୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ହିମାଂଶୁ ରାୟ ଅନେକ ଗୁଡ଼ିଏ ଗୁରୁତର ଅପରାଧିକ ମାମଲାର ସଫଳତା ପୂର୍ବକ ତଦନ୍ତ କରିଥିଲେ। ଏଗୁଡ଼ିକ ମଧ୍ୟରେ ପଳାତକ ସାଜିଥିବା ଦୁର୍ଦ୍ଦନ୍ତ ଅଣ୍ଡରଓ୍ଵାଲର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଭାଇ ଇକ୍‌ବାଲ୍‌ କସକର୍‌ର ଡ୍ରାଇଭର ଅରିଫ୍‌ର ଗୁଳିକାଣ୍ଡ, ସମ୍ବାଦିକ ଜେ. ଦେଙ୍କ ହତ୍ୟା, ବିଜୟ ପାଲାଣ୍ଡେ ଓ ଲୈଲା ଖାନ୍‌ ଡବଲ୍‌ ମର୍ଡର ଆଦି ଅନେକ ଗୁଡ଼ିଏ ଚର୍ଚ୍ଚିତ ଅପରାଧ ଘଟଣା ଅନ୍ତର୍ଭୁକ୍ତ। ୨୦୧୩ ଆଇପିଏଲ୍‌ ସଂସ୍କରଣର ମ୍ୟାଚ୍‌ ଫିକ୍ସିଂ ଘଟଣାରେ ମୁଖ୍ୟ ବୁକିମାନଙ୍କ ସହ ସଂପର୍କରେ ଥିବା ବିନ୍ଦୁ ଦାରା ସିଂହଙ୍କୁ ମଧ୍ୟ ଗିରଫ କରିଥିଲେ ହିମାଂଶୁ ରାୟ।
୨୩ ଜୁନ୍‌ ୧୯୬୩ରେ ଜନ୍ମ ଗ୍ରହଣ କରିଥିବା ହିମାଂଶୁ ରାୟ ୧୯୮୯ ଅଗଷ୍ଟ ୨୧ରେ ଜଣେ ଆଇପିଏସ୍‌ ଅଫିସର ଭାବେ ପୁଲିସ୍‌ ବିଭାଗରେ ଯୋଗଦାନ କରିଥିଲେ।

ସମ୍ବନ୍ଧିତ ଖବର