ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ଗିରଫ

ମାଲେ : ଗତ ବର୍ଷ ଦ୍ୱୀପଦେଶ ମାଳଦ୍ୱୀପକୁ ନିଜ ଇଚ୍ଛା ଅନୁସାରେ ନଚାଉଥିବା ଅବଦୁଲ୍ଲା ୟମିନଙ୍କ ପାଇଁ ଏବେ ଶନିଦଶା ଚାଲିଛି । କିଛି ମାସତଳେ ନିର୍ବାଚନ ହାରି ଗାଦି ହରାଇଥିବା ଅବଦୁଲ୍ଲାଙ୍କ ପାଇଁ ଏବେ ଆଉ ଏକ ସମସ୍ୟା ଦେଖାଦେଇଛି । ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାର ବିଚାର କରି ମାଳଦ୍ୱୀପର ଏକ କୋର୍ଟ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ବେଆଇନ ଭାବେ ପ୍ରାୟ ୧.୫ ନିୟୁତ ସରକାରୀ ଅର୍ଥ ନିଜର ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ବୋଲି ପ୍ରସିକ୍ୟୁଟର ଜେନେରାଲଙ୍କ ମୁଖପାତ୍ର ଅହମ୍ମଦ ତୋଫିକ କହିଛନ୍ତି ।

ଗତ ବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ଇବ୍ରାହିମ୍ ମହମ୍ମଦ ସୋଲିହ ବିଜୟୀ ହୋଇଥିଲେ । ନିର୍ବାଚନ ଫଳାଫଳ ଅନୁସାରେ ୟାମିନଙ୍କୁ ୪୧.୭ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଇବ୍ରାହିମଙ୍କୁ ୫୮.୩ ପ୍ରତିଶତ ମିଳିଥିଲା । ଏହି ନିର୍ବାଚନରେ ପରାଜୟ ସହ ମାଳଦ୍ବୀପରେ ୟମିନଙ୍କ ଏକଛତ୍ରବାଦୀ ଶାସନର ଅନ୍ତ ଘଟିଥିଲା ।

ସମ୍ବନ୍ଧିତ ଖବର