ପୂର୍ବତନ ସାଂସଦ ଅତିକ୍ ଅହମ୍ମଦଙ୍କ ଗୁଣ୍ଡାଗିରି:ବ୍ୟବସାୟୀଙ୍କୁ ଅପହରଣ କରି ଜେଲ୍‌ରେ ପିଟିଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଦେଓରିଆ ଜେଲ୍‌ରେ ଏକ ଘଟଣା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଲକ୍ଷ୍ନୌର ଜଣେ ବ୍ୟବସାୟୀଙ୍କୁ ଅପହରଣ କରିନେଇ ଦେଓରିଆ ଜେଲ୍‌ରେ ରଖାଯାଇ ମାର୍‌ପିଟ୍‌ କରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। ପୂର୍ବତନ ସାଂସଦ ଅତିକ୍ ଅହମ୍ମଦ ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଅହମ୍ମଦଙ୍କ ନିର୍ଦ୍ଦେଶରେ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟୀଙ୍କୁ ‌ଜେଲ୍‌ରେ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ସମ୍ପତ୍ତି ସଂକ୍ରାନ୍ତ କାଗଜପତ୍ରରେ ଦସ୍ତଖତ ନିମନ୍ତେ ବାଧ୍ୟ କରାଯାଇ ଖୁବ୍‌ ମାରଧର କରାଯାଇଥିଲା। ଉକ୍ତ ବ୍ୟବସାୟୀଙ୍କ ନାମ ମୋହିତ ଜୈସ୍ବାଲ୍‌ ବୋଲି ଜଣାପଡ଼ିଛି।
ପୂର୍ବତନ ସାଂସଦ ଅତିକ୍‌ ଅହମ୍ମଦ୍‌ଙ୍କ ବିରୋଧରେ ସେ ଏହି ଅଭିଯୋଗ ଆଣିବା ପରେ ଘଟଣା ଦେଶବ୍ୟାପୀ ଚର୍ଚ୍ଚିତ ହୋଇଛି। ଦେଓରିଆ ଜେଲ୍‌ରେ ବନ୍ଦୀ ଥିବା ଅହମ୍ମଦ୍‌ଙ୍କ ସହଯୋଗୀମାନେ ଗତ ୨୬ ତାରିଖରେ ଜୈସ୍ବାଲ୍‌ଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ କରିନେଇଥିଲେ। ଅହମ୍ମଦଙ୍କ ପୁଅ ଏବଂ ଅନ୍ୟ ୧୦-୧୨ ଦୁର୍ବୃତ୍ତ ମଧ୍ୟ ଏଥିରେ ସମ୍ପୃକ୍ତ। ସେମାନେ ତାଙ୍କୁ ୧୦-୧୨ଟି ସାଦା କାଗଜରେ ଦସ୍ତଖତ ପାଇଁ ବାଧ୍ୟ କରିଥିଲେ। କାଗଜରେ ଦସ୍ତଖତ ନକଲେ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ତେବେ ଜୀବନ ପ୍ରତି ବିପଦ ଥିବାରୁ ଜୈସ୍ବାଲ୍‌ ସମସ୍ତ କାଗଜପତ୍ରରେ ଦସ୍ତଖତ କରି ଜେଲ୍‌ ବାହାରକୁ ମୁକୁଳି ଆସିଛନ୍ତି। ଜୈସ୍ବାଲ୍‌ ଏନେଇ ପୁଲିସରେ ଅଭିଯୋଗ କରିବାପ‌ରେ ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି। ମାମଲାରେ ଏବେ ୨ ଜଣ ଗିରଫ ହୋଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ଘଟଣାର ପର୍ଦ୍ଦାଫାସ ହେବା ପରେ ଗୃହ ସଚିବଙ୍କ ପକ୍ଷରୁ ଏଡିଜି (କାରଗାର)ଙ୍କୁ ରିପୋର୍ଟ ତଲବ କରାଯାଇଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର