ପୂର୍ବତନ ଏଟିଏସ୍‌ ମୁଖ୍ୟଙ୍କ ଆତ୍ମହତ୍ୟା

ମୁମ୍ବାଇ : ମହାରାଷ୍ଟ୍ର ଏଟିଏସ୍‌ର ପୂର୍ବତନ ମୁଖ୍ୟ ତଥା ‘ସୁପର୍‌ କପ୍‌’ ଭାବେ ପରିଚିତ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ହିମାଂଶୁ ରାୟ ଆଜି ଆତ୍ମହତ୍ୟା କରିଛନ୍ତି। ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ ଏବଂ ଏଥିପାଇଁ ମାନସିକ ଅବସାଦ ଭିତରେ ରହୁଥିଲେ। ହିମାଂଶୁୁ ଆଜି କୋଲାବା ସ୍ଥିତ ତାଙ୍କ ବାସଭବନରେ ଅପରାହ୍ନ ପ୍ରାୟ ୧ଟା ୪୫ ସମୟରେ ନିଜ ସର୍ଭିସ ରାଇଫଲ୍‌ରୁ ପାଟିରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ରାୟଙ୍କୁ ତୁରନ୍ତ ମେରାଇନ୍‌ ଲାଇନ୍‌ର ‘ବମ୍ବେ ହସ୍ପିଟାଲ୍‌’ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଳେ।

ସୂଚନାନୁଯାୟୀ କର୍କଟ ରୋଗରେ ପୀଡ଼ିତ ରାୟ ଦୀର୍ଘ ଦିନ ଧରି ମେଡିକାଲ୍‌ ଛୁଟିରେ ଥିଲେ। ସେ ବିଷାଦଗ୍ରସ୍ତ ହୋଇ ଏଭଳି ପଦକ୍ଷେପ ନେଇଥିବା ପରିବାର ସଦସ୍ୟ କହିଛନ୍ତି। ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହିମାଂଶୁ ରାୟ ୧୯୯୧ ମସିହାରେ ରାୟ ପ୍ରଥମେ ମାଲେଗାଓଁରେ ଅବସ୍ଥାପିତ ହୋଇଥିଲେ। ଏଠାରେ ସେ ବାବ୍ରି ମସଜିଦ୍‌ ଧ୍ୱଂସ ପରବର୍ତ୍ତୀ ଦଙ୍ଗା ମାମଲାର ତଦାରଖ କରିଥିଲେ। ପରେ ସେ ନାସିକ୍‌ ଏବଂ ଅହମଦନଗରରେ ପୁଲିସ ସୁପରିନଟେଣ୍ଡେଣ୍ଟ୍‌ ହୋଇଥିଲେ ଏବଂ ଏହାପରେ ମୁମ୍ବାଇ ପୁଲିସର ଆର୍ଥିକ ଅପରାଧିକ ଶାଖାର ଡେପୁଟି କମିସନର ରୂପେ ନିଯୁକ୍ତ ହୋଇଥିଲେ। ୨୦୦୪ରୁ ୨୦୦୭ ମଧ୍ୟରେ ସେ ନାସିକ୍‌ରେ ପୁଲିସ କମିସନର ଥିଲେ। ୨୦୦୯ ମସିହାରେ ସେ ମୁମ୍ବାଇ ପୁଲିସର ଜଏଣ୍ଟ୍‌ କମିସନର ଥିଲେ। ରାୟ ମଧ୍ୟ ୨୦୧୩ ମସିହା ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଙ୍ଗ୍‌ ଏବଂ ବେଟିଂ ସ୍କାଣ୍ଡାଲ୍‌ର ତଦନ୍ତ କରିଥିଲେ । ସେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ୍‌ର ମୁଖ୍ୟ ଥିବା ସମୟରେ ୨୬/୧୧ ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ପାକ୍‌ ଆତଙ୍କବାଦୀ ଅଜମଲ କସବକୁ ଫାଶୀ ଦଣ୍ଡାଦେଶ ହୋଇଥିଲା।

ସମ୍ବନ୍ଧିତ ଖବର