ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର : ଏମ୍ସରେ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ

ନୂଆଦିଲ୍ଲୀ : ସୋମବାର ମଧ୍ୟାହ୍ଣରେ ଶାରୀରିକ ଅସୁସ୍ଥତା ଲାଗି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏମ୍ସ ସୂତ୍ରରୁ ପ୍ରକାଶ। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ପ୍ରମୁଖ ଭେଟିଛନ୍ତି। ଏମ୍ସ ନିର୍ଦ୍ଦେଶକ ତଥା ବାଜପାୟୀଙ୍କ ବ୍ୟକ୍ତିଗତ ଡାକ୍ତର ଡା.ରଣଦୀପ ଗୁଲେରିଆଙ୍କ ତତ୍ତ୍ବାବଧାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚିକିତ୍ସା ଚାଲିଛି। ଏଥିସହ ଆଜି ରାତିରେ ତାଙ୍କୁ ଏମ୍ସରେ ରହିବେ ବୋଲି ଜଣାପଡ଼ିଛି।

ସୋମବାର ମଧ୍ୟାହ୍ଣରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ବେଜପେୟୀଙ୍କୁ କେବଳ ରୁଟିନ ଚେକ ଅପ୍ କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବାଜପେୟୀଙ୍କୁ ସ୍ୱାସ୍ଥ୍ୟବସ୍ଥା ଅନେକ ଦିନ ଧରି ଅତ୍ୟନ୍ତ ଖରାପ ରହିଛି । ଡିମେନସିୟା ନାମକ ଏକ ରୋଗରେ ବାଜପେୟୀ ପୀଡିତ ଥିବା ଜଣାପଡିଛି । ୨୦୦୯ ମସିହାଠାରୁ ସେ ହ୍ୱିଲ ଚେୟାରରେ ଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ଜଣେ ସହଯୋଗୀ ବନ୍ଧୁ ଶିବ କୁମାର ଶର୍ମା କହିଛନ୍ତି ଯେ, ରୋଗକ୍ରାନ୍ତ ଥିବା କାରଣରୁ ବାଜପେୟୀ ବହୁତ କମ କଥା କହୁଛନ୍ତି । କିନ୍ତୁ ଚେହେରାର ହାବଭାବ ଏବଂ ଆଖିର ଇସାରାରୁ ଜଣାପଡିଯାଏ ଯେ ବାଜପେୟୀ ଚିହ୍ନି ପାରୁଛନ୍ତି । କିନ୍ତୁ ଏବେ ସେ କିଛି ପଢି କିମ୍ବା ଲେଖି ପାରୁନାହାନ୍ତି । କିନ୍ତୁ ଅଧିକାଂଶ ସମୟ ସେ ଟିଭି ଦେଖିଥାନ୍ତି । ଖାସ କରି ପୁରୁଣା କିଛି ଚଳଚିତ୍ର ଏବଂ ପୁରୁଣା ସଙ୍ଗୀତ ତାଙ୍କୁ ବହୁତ ଭଲ ଲାଗିଥାଏ । ଡାକ୍ତରମାନଙ୍କର ଏକ ଦଳ ୨୪ ଘଣ୍ଟା ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି । ପ୍ରତିଦିନ ତାଙ୍କର ଚିକିତ୍ସା ପାଇଁ ୪ ଜଣ ଫିଜିଓ ଥେରାପିଷ୍ଟ ଆସିଥାନ୍ତି ।

ତେବେ ଖାଦ୍ୟରେ ତାଙ୍କୁ କେବଳ ତରଳ ସାମଗ୍ରୀ ଖାଇବାକୁ ଦିଆଯାଇଥାଏ । ନିକଟରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ୯୩ ବର୍ଷ ବୟସ୍କ ଅଟଳ ବିହାରୀ ବାଜପେୟୀ ବର୍ତ୍ତମାନ ବିଭିନ୍ନ ଶାରୀରିକ ସମସ୍ୟା ଦେଇ ଗତି କରୁଛନ୍ତି। ବିଶେଷ କରି ସେ ବର୍ତ୍ତମାନ କାହାକୁ ଚିହ୍ନି ପାରୁ ନାହାନ୍ତି କିମ୍ବା ତାଙ୍କର କିଛି ମନେ ରହୁନାହିଁ। ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣକାଳୀନ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି । ଉତ୍ତର ପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହେବା ସହିତ ବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି। ପ୍ରଥମ ଥର ୧୩ ଦିନ, ଦ୍ୱିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ୍ଣକାଳୀନ ସରକାର ଚଳାଇ ସେ ଅଣକଂଗ୍ରେସ ରାଜନୀତିର ଅନନ୍ୟ ଇତିହାସର ପାତ୍ର ହୋଇଛନ୍ତି। ଭାରତଛାଡ଼ ଆନ୍ଦୋଳନରେ ଜଡିତ ହୋଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ବାଜପେୟୀ ଜଣେ ପ୍ରଚଣ୍ଡ ବାଗ୍ମୀ ଓ କବି ଭାବେ ବେଶ ଜଣାଶୁଣା।

 

 

ସମ୍ବନ୍ଧିତ ଖବର